ଏଣିକି ରାଜ୍ୟଗୁଡ଼ିକୁ ଆଉ ରେମଡେସିଭିର ଦେବନି କେନ୍ଦ୍ର, ସିଧାସଳଖ କମ୍ପାନୀଠାରୁ କିଣିବାକୁ ପଡ଼ିବ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ରେମଡେସିଭିର ଇଞ୍ଜେକ୍ସନ ପାଇଁ ସବୁଆଡେ ଚହଳ ପଡ଼ିଛି। ଏମିତିକି କିଛି ରାଜ୍ୟରେ ଏହାର ବଡ଼ ପରିମାଣରେ କଳାବଜାରୀ ହେଉଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଅନେକ ସହରରେ ନକଲି ରେମଡେସିଭିର ଇଞ୍ଜେକ୍ସନ ବିକ୍ରି ହେଉଥିବା ବେଳେ ମଧ୍ୟ ପୋଲିସ ତାକୁ ଜବତ କରିଛି । ତେବେ ଏହି ଇଞ୍ଜେକ୍ସନ ସ୍ୱଳ୍ପ ପରିମାଣର ଉତ୍ପାଦନ ହେଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଦିଆଯାଉଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଏଣିକି ରାଜ୍ୟମାନେ ସିଧାସଳଖ ନିଜ ଆବଶ୍ୟକତା ଅନୁଯାୟୀ ଏହି ଇଞ୍ଜେକ୍ସନ କିଣି ପାରିବେ।

ରାସାୟନ ଏବଂ ସାରମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶନିବାର ଘୋଷଣା କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ଦିଆଯାଉଥିବା ରେମଡେସିଭିର ପ୍ରକ୍ରିୟାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦ କରିବା ପାଇଁ ନିପତ୍ତି ନିଆଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ରେମଡେସିଭିର ଉପଲବ୍ଧତା ଉପରେ ନିରନ୍ତର ନଜର ରଖିବା ପାଇଁ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଏବଂ ସିଡିଏସକୋକୁ ନିର୍ଦ୍ଦେଶ ଦିଆଯାଇଛି।

ଏବେ ଅଧିକମାତ୍ରାରେ ଉତ୍ପାଦନ ହେଉଛି

ସରକାରଙ୍କ କହିବାନୁସାରେ, ଏବେ ଦେଶରେ ରେମେଡେସିଭିର ଇଞ୍ଜେକ୍ସନର ଉତ୍ପାଦନ ବୃଦ୍ଧି ପାଇଛି। ପୂର୍ବରୁ ୨୦ଟି ପ୍ଲାଣ୍ଟରେ ଉତ୍ପାଦନ ହେଉଥିବା ବେଳେ ଏବେ ୬୦ଟି ପ୍ଲାଣ୍ଟରେ ଉତ୍ପାଦନ ହେଉଛି। ଏଥିସହ ସରକାର କହିଛନ୍ତି ଯେ, ଏବେ ଚାହିଦା ଅପେକ୍ଷା ଅଧିକ ଯୋଗାଣ ମଧ୍ୟ ହେଉଛି । ସୋସିଆଲ ମିଡିଆରେ ଘୋଷଣା କରି ମାଣ୍ଡଭିଆ ଲେଖିଛନ୍ତି,ଏବେ ଦେଶରେ ୧୦ ଗୁଣା ଅଧିକ ରେମଡିସିଭିର ଇଞ୍ଜେକ୍ସନ ଉତ୍ପାଦନ ହେଉଛି । ଏହି ସୂଚନା ସମସ୍ତଙ୍କ ସହ ମୁଁ ସେୟାର କରୁଥିବା ବେଳେ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି ।’ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତମ ନେତୃତ୍ୱ ଯୋଗୁଁ ଗତ ୧୧ ଏପ୍ରିଲ ୨୦୨୧ଠାରୁ ପ୍ରତିଦିନ ୩,୦୦୦ ରେମଡେସିଭିର ଇଞ୍ଜେକ୍ସନ ଭାଇଲ ଦେଶରେ ପ୍ରସ୍ତୁତ ହେଉଥିବା ବେଳେ ଏବେ ଏହା ଦିନକୁ ସାଢ଼େ ୩ ଲକ୍ଷରୁ ଅଧିକ ଉତ୍ପାଦନ କରାଯାଉଛି।

ସୂଚନାଯୋଗ୍ୟ ଯେ, ଆମେରିକାର କମ୍ପାନୀ ଗିଲିଆଡ୍ ସାଇନ୍ସେସ୍ ପାଖରେ ରେମଡେସିଭିରର ପ୍ୟାଟେଣ୍ଟ ରହିଛି ।ସେ ଚାରୋଟି ଭାରତୀୟ କମ୍ପାନୀ ସହ ଏହି ଇଞ୍ଜେକ୍ସନ ଉତ୍ପାଦନ କରିବା ପାଇଁ ଚୁକ୍ତି କରିଛି । ଆଉ ସେଗୁଡ଼ିକ ହେଲା, ସିପ୍ଲା, ହେଟେରୀ ଲ୍ୟାବ୍, ଜୁବିଲିଏଟ ଲାଇଫ୍ ସାଇନ୍ସେସ ଏବଂ ମିଲାନ । ଏହା ଚାରୋଟି ଯାକ କମ୍ପାନୀ ବଡ଼ ପରିମାଣରେ ରେମଡେସିଭିର ଉତ୍ପାଦନ କରନ୍ତି । ପରେ ଏହାକୁ ବିଶ୍ୱର ପ୍ରାୟ ୧୨୬ଟି ଦେଶକୁ ରପ୍ତାନି କରିଥାନ୍ତି। ଏହା ଏକ ଦାମୀ ଔଷଧ । ଯାହାର ମୂଲ୍ୟ ଭାରତୀୟ ବଜାରରେ ପ୍ରାୟ ୪୮୦୦ ଟଙ୍କା ରହିଛି । କିନ୍ତୁ ଏହାକୁ କାଳାବଜାରୀମାନେ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି ।

You might also like