ପାଣିରୁ ମିଳିଲା କରୋନା ଭୂତାଣୁ !

ପ୍ୟାରିସ୍‌‌: ପାଣିରେ କରୋନା ଭୂତାଣୁ ! ତାହା ପୁଣି ପିଇବା ପାଣିରୁ । ପ୍ୟାରିସ୍‌‌ରୁ ଆସିଛି ଚିନ୍ତାଜନକ ଖବର। ଯଦିଓ ପାନୀୟ ଜଳରେ କରୋନା ଭାଇରସ ସଂକ୍ରମଣର କୌଣସି ଭୟ ନାହିଁ ବୋଲି ସ୍ଥାନୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ତଥାପି ପାଣରେ କରୋନା ଭାଇରସ ଠାବ ହେବା ଖବର ଶୁଣି ଏଠାରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।

ଲକ୍‌ ଡାଉନ ପରେ ପରେ ପ୍ୟାରିସର ଲ୍ୟାବରେ ବିଭିନ୍ନ ଇଲାକାର ୨୭ଟି ପାଣି ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୪ଟି ନମୂନାରେ କରୋନା ଭାଇରସର ଭୂତାଣୁ ମିଳିଥିଲା । ଏଠି କହି ରଖିବୁ, ଫ୍ରାନ୍ସରେ କରୋନା ଭାଇରସ ଭୟଙ୍କର ରୂପ ନେଉଛି । ରବିବାର ମିଳିଥିବା ତଥ୍ୟରୁ ଜଣାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩୯୫ ଜଣଙ୍କର ମୃତ୍ୟୁ ଘଟିଛି ।ଏହାକୁ ମିଶାଇ ଫ୍ରାନ୍ସରେ ମୋଟ  ୧୯,୭୧୮ ଜଣଙ୍କର ମୃତ୍ୟୁ ଘଟିଲାଣି ।

ସହରର ବରିଷ୍ଠ ଅଧିକାରୀ ସେଲିଆ ବ୍ଲାଉଲଙ୍କ କହିବା ଅନୁଯାୟୀ, ସହରବାସୀଙ୍କୁ ପାନୀୟ ଜଳ ସ୍ୱତନ୍ତ୍ର ଭାବେ ଯୋଗାଇ ଦିଆଯାଉଛି ଯାହାକୁ  ଲୋକେ ବିନା ଭୟରେ ବ୍ୟବହାର କରି ପାରିବେ । ଅନ୍ୟପକ୍ଷେ ସୀନ ନଦୀ ଏବଂ ଅଭର୍କ ନହରରୁ ଯେଉଁ ପାଣି ଯୋଗାଇ ଦିଆଯାଉଛି ତାହା ପିଇବା ଉପଯୋଗୀ ନୁହେଁ । ଏହା କେବଳ ରାସ୍ତାଘାଟ ସଫା, ଗଛରେ ପାଣି ଦେବା ଓ ଅନ୍ୟାନ୍ୟ  କାମ କରିବା ପାଇଁ ଦିଆଯାଉଛି ।

ତେବେ ବ୍ଲାଉଲ କହିଛନ୍ତି, ଏ ନେଇ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ଏ ସମ୍ପର୍କରେ  ସ୍ୱାସ୍ଥ୍ୟ ଏଜେନ୍ସି ସହ ବିଚାର ବିମର୍ଷ କରାଯାଉଛି ।

You might also like