ଲକ୍‌ଡାଉନ୍‌: ଭିଡିଓ କନଫରେନ୍ସିଂରେ ହେଲା ନିର୍ବନ୍ଧ

କେରଳ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସମଗ୍ର ଦେଶ ଏବେ ଲକ୍‌ଡାଉନ୍‌। ଏହି ଲକ୍‌ଡାଉନ୍‌ ପାଇଁ ଲୋକମାନେ ସେମାନଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଏପରିକି ବାହାଘର ଠୁ ଆରମ୍ଭ କରି ବିଭିନ୍ନ ଧାର୍ମିକ କାର୍ଯ୍ୟକୁ ବନ୍ଦ କରାଯାଇଛି । କିନ୍ତୁ ଇଣ୍ଟରନେଟର ଯୁଗରେ ଅନ୍‌ଲାଇନ୍‌ ମାଧ୍ୟମରେ ସବୁ କାର୍ଯ୍ୟ ହୋଇପାରୁଛି।

ଅନଲାଇନ୍‌ରେ ସ୍କୁଲ୍-କଲେଜ୍ କାମ କରାଯାଉଛି। ଜରୁରୀ ବୈଠକ ମଧ୍ୟ ଇଣ୍ଟରନେଟ୍‌ରେ ହୋଇପାରୁଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟର କାମ କରାଯାଉଛି। ଏବେ କେରଳରୁ ଏକ ରୋଚକ ଖବର ଆସିଛି ଯେଉଁଠାରେ ଏକ ପରିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିର୍ବନ୍ଧ ବି କରିଛନ୍ତି।

ନିର୍ବନ୍ଧ ଦୁଇ ପରିବାରର ସହମତିରେ ହେବାର ଥିଲା କିନ୍ତୁ ସେତେବେଳକୁ ଲକ୍‌ଡାଉନ୍‌ ହୋଇସାରିଥିଲା। ଏହି ଲକ୍‌ଡାଉନ୍‌ କାରଣରୁ ଝିଅ ଓ ପୁଅର ପରିବାର ଲୋକ ଫସି ରହିଛନ୍ତି। ତେଣୁ ଅନ୍‌ଲାଇନ୍‌ରେ ନିର୍ବନ୍ଧ କରିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା।

ଖବର ଅନୁଯାୟୀ, ଝିଅ ଜଣକ ବାଙ୍ଗାଲୋରରେ ଚାକିରୀ କରନ୍ତି। ସେହିପରି ପୁଅ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଇଂଞ୍ଜିନିୟର ଅଛନ୍ତି। ଲକ୍‌ଡାଉନ୍‌ କାରଣରୁ ଦୁହେଁ ନିଜ ଘରେ ଫସି ରହିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ଦୁହିଁଙ୍କର ନିର୍ବନ୍ଧ ହେବାର ଥିଲା ଯାହାଏବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯାଇଛି।

ଭିଡିଓ କନଫରେନ୍ସିଂ ଜରିଆରେ ବର ଓ କନ୍ୟା ଘରର ଲୋକେ ପରସ୍ପର ସହ ପରିଚିତ ହୋଇଥିଲେ। ପରେ ନିର୍ବନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୁଇ ପରିବାର ଭିଡିଓ କଲିଂ ମାଧ୍ୟମରେ ପରସ୍ପର ସହିତ ସର୍ମ୍ପକକୁ ମଜବୁତ୍‌ କରିଥିଲେ। ଏପ୍ରିଲ ୨୬ରେ ସେମାନଙ୍କର ବହାଘର ହେବ। ଏନେଇ ଦୁହିଁଙ୍କ ପରିବାର ପ୍ରସ୍ତୁତି ଜାରି ରଖିଛନ୍ତି।

You might also like