ମହାରାଷ୍ଟ୍ରରେ ପ୍ରଥମ କରି ପୁଲିସ୍‌ର‌ ଜୀବନ ନେଲା କରୋନା: ୯୬ ଅକ୍ରାନ୍ତ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୭୬୨୮ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିଭଳି ୪୮ ଘଣ୍ଟାରେ ୨୩ ଜଣ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ୫୭ ବର୍ଷୀୟ ପୋଲିସ ହାବିଲଦାର। ସେ ଶନିବାର ଦିନ ମୁମ୍ୱାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ମହାରାଷ୍ଟ୍ରରେ କରୋନା ଭାଇରସ ଯୋଗୁ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେବା ଏହା ପ୍ରଥମ ଘଟଣା। ପୋଲିସ କର୍ମୀ ଜଣକ ଦକ୍ଷିଣ ମୁମ୍ୱାଇର ୱାର୍ଲି ନାକା ଅଞ୍ଚଳରେ ରହୁଥିବା ଏହି ହାବିଲ୍‌ଦାର ଜଣକ  ବକୋଲା ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ।

ବର୍ତ୍ତମାନ ସୁଦ୍ଧା ମୁମ୍ୱାଇରେ ୯୬ଜଣ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ହେଉଛନ୍ତି ଅଧିକାରୀ ଏବଂ ୮୧ଜଣ କନଷ୍ଟେବଲ୍ ଅଛନ୍ତି। ଏଥିମଧ୍ୟରୁ ୩ ଅଧିକାରୀ ଏବଂ ୪ଜଣ କନଷ୍ଟେବଲ୍ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଅନ୍ୟ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା କରାଯାଉଛି।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌କୁ ବଢ଼ାଇ ଦେଇଛନ୍ତି। ଏହି ସମୟରେ ପୋଲିସ କର୍ମୀ ପ୍ରକୃତ ଯୋଦ୍ଧା ସାଜି ଲଢ଼େଇ କରୁଛି। କିନ୍ତୁ କିଛି ଅମାନିଆ ବ୍ୟକ୍ତି ନିୟମକୁ ନମାନି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ପୋଲିସ କରୋନା ଏବଂ ସାଧାରଣ ଲୋକଙ୍କ ସହ ଲଢ଼ୁଥିବାର ଦେଖାଯାଉଛି।

ଖବର ଅନୁଯାୟୀ, ଶନିବାର ଅପରାହ୍ନ ସୁଦ୍ଧା ୧୪୮ ପୋଲିସ କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଖବର ରହିଛି। ଆକ୍ରମଣ କରିଥିବା ୪୭୭ ଜଣଙ୍କୁ ପୋଲିସ ଗିରଫ କରିଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ୧୪,୯୫୫ ଜଣ ପୋଲିସ ଗିରଫ ହୋଇଛନ୍ତି। ୪୭ ହଜାରରୁ ଅଧିକ ଗାଡ଼ି ଜବତ କରାଯିବା ସହ ୨କୋଟି ୬୩ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଲକ୍‌ଡାଉନ୍‌ର ଏକ ମାସ ମଧ୍ୟରେ ମୁମ୍ବାଇରେ କରୋନା ରୋଗୀଙ୍କ ସଂଖ୍ୟା ୧୦୦ ଗୁଣରୁ ଅଧିକ ବୃଦ୍ଧି ପାଇଛି। ମାର୍ଚ୍ଚ ୨୫ରେ କରୋନା ରୋଗୀଙ୍କ ସଂଖ୍ୟା ମାତ୍ର ୪୩ ଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ମାସ ପରେ, କରୋନା-ପଜିଟିଭ ରୋଗୀଙ୍କ ସଂଖ୍ୟା ୪୫୮୯ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୭୯ ରେ ପହଞ୍ଚିଛି।

 

ଆହୁରି ପଢ଼ନ୍ତୁ

You might also like