ଦେଶର ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍

ପୁଣି ବ୍ୟାପିବାରେ ଲାଗିଲାଣି କରୋନା ମହାମାରୀ

ନୂଆଦିଲ୍ଲୀ: ପୁଣି ବ୍ୟାପିବାରେ ଲାଗିଲାଣି କରୋନା ମହାମାରୀ। ଧୀରେ ଧୀରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଛନ୍ତି ଅଧିକରୁ ଅଧିକ ଲୋକ। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେଣି। ପ୍ରଥମେ ଦେଶର ବିଭିନ୍ନ ସ୍ଥାନରୁ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ ଠାବ କରାଯାଇଥିଲା ଯେଉଁମାନଙ୍କ ପାଖରେ କରୋନାର ନୂଆ ଷ୍ଟ୍ରେନ ମିଳିଥିଲା । ଏବେ ଆଉ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସୂଚନାଥାଉ କି, କରୋନାର ନୂଆ ଷ୍ଟ୍ରେନ୍‌ ବ୍ରିଟେନ୍‌ରେ ହାହାକାର ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନରୁ ଭାରତ  ଆସୁଥିବା ସମସ୍ତ ଫ୍ଲାଇଟ୍‌କୁ ବାତିଲ କରାଯାଇଛି।

ଆକ୍ରାନ୍ତମାନଙ୍କ ମଧ୍ୟରୁ ତିନିଜଣ ବେଙ୍ଗାଲୁରୁର ‘ଏନ୍‌ଆଇଏମ୍‌ଏଚ୍‌ଏଏନ୍‌ଏସ୍‌’ରେ ଥିବା ବେଳେ ଦୁଇଜଣ ହାଇଦ୍ରାବାଦସ୍ଥିତ ‘ସେଣ୍ଟର୍‌ ଫର୍‌ ମଲିକ୍ୟୁଲାର୍‌ ବାୟୋଲୋଜି ଏବଂ ଅନ୍ୟ ଜଣେ ପୁଣେସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ରେ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀରୁ ୮ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କଠାରେ ବ୍ରିଟେନ ନୂଆ ଷ୍ଟ୍ରେନ ଥିବା ଜଣାଯାଇଛି।

କୋଲକାତାରେ ବି ବ୍ରିଟେନ୍‌ର ନୂଆ ଷ୍ଟ୍ରେନକୁ ଚିହ୍ନଟ କରାଯାଇଛି। ୟୁକେରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ନୂଆ ଷ୍ଟ୍ରେନ ମିଳିଛି। ସଂପୃକ୍ତ ରୋଗୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। ସେ ଗତ ସପ୍ତାହରେ ବ୍ରିଟେନରୁ ଫେରିଥିଲେ।

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ୭ ଜଣ ଲୋକଙ୍କ ପାଖରେ କରୋନା ନୂଆ ଷ୍ଟ୍ରେନ ମିଳିଛି। ଏମାନଙ୍କ ମଧ୍ୟରୁ ୩ ଜଣ ବେଙ୍ଗାଲୁର ଏବଂ ୪ ଜଣ ଶିମୋଗାରୁ ଚିହ୍ନଟ କରାଯାଇଛି। ଏମାନଙ୍କ ସମ୍ପର୍କରେ ଆସିଥିବା କିଛି ବ୍ୟକ୍ତିଙ୍କ ପାଖରେ ମଧ୍ୟ କରୋନା ଭାଇରସ ଥିବା ଜଣାଯାଇଛି।

ସେପଟେ ଯଦି ଆମେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ଉପରେ ନଜର ପକାଇବା ତେବେ ଜାଣିପାରିବା ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ପୁଣି ବଢିଛି। ଗତ ୨ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ୩୦୦ ତଳେ ଥିବାବେଳେ ଆଜି ୩୦୦ ଟପିଛି। ଆଜି ୨୮ ଜିଲ୍ଲାରୁ ୩୦୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଲୋକାଲ କେସ୍‌ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଅନ୍ୟପକ୍ଷେ ଆଜି ରାଜ୍ୟରୁ ୩ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୭୧ ଛୁଇଁଛି।

ଆଜି ସର୍ବାଧିକ କରୋନା ରୋଗୀ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ଚିହ୍ନଟ ହୋଇଛି। ଏହି ଦୁଇ ଜିଲ୍ଲାରୁ ୨୮ ଜଣ ଲେଖାଏ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କଟକ ଓ ଖୋର୍ଦ୍ଧାରୁ ୨୩, ମୟୂରଭଞ୍ଜରୁ ୧୯, କେନ୍ଦୁଝରରୁ ୧୭, ଯାଜପୁରରୁ ୧୬, କେନ୍ଦ୍ରାପଡାରୁ ୧୦, ଝାରସୁଗୁଡ଼ାରୁ ୮, ଅନୁଗୋଳରୁ ୨୬, ବାଲେଶ୍ୱରରୁ ୧୪, ବଲାଙ୍ଗୀରରୁ ୧୬, ବରଗଡରୁ ୨୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୩୦୬ ଛୁଇଁଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୨୪,୭୭୫ । ସୁସ୍ଥ ହୋଇ ଫେରିଛନ୍ତି ୨୬୦୭।

ଓଟିଭି Youtube Live ଦେଖନ୍ତୁ…

 

You might also like