ଦେଶରେ କରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ : ଆଗାମୀ ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ କଲେ ଦିଲ୍ଲୀ ଏମ୍ସ ମୁଖ୍ୟ

ଅଧିକ ସଂକ୍ରାମକ ହୋଇପାରେ କରୋନାର ନୂଆ ଷ୍ଟ୍ରେନ୍

ନୂଆଦିଲ୍ଲୀ: ଦେଶରେ କରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁଁ ବିଭିନ୍ନ ଅଂଚଳରେ ସଂକ୍ରମଣ ବୃଦ୍ଧି ପାଇଛି। ନୂଆ ଷ୍ଟ୍ରେନ୍ ଦ୍ୱାରା କରୋନା ପୁଣି ଥରେ ଆକ୍ରମଣ କରିବାର ଆଶଙ୍କା ଅଧିକ ରହିଛି। ଭ୍ୟାକ୍ସିନ ଜରିଆରେ ପ୍ରତିରୋଧକ କ୍ଷମତା ହାସଲ କରିଥିବା ଲୋକଙ୍କୁ ତଥା ଆଣ୍ଟିବଡ଼ି ପାଇଥିବା ଲୋକଙ୍କୁ ପୁଣି ଥରେ ସଂକ୍ରମିତ କରିପାରେ ଏହି ଷ୍ଟ୍ରେନ୍। ଏପରିସ୍ଥଳେ ଲୋକେ କରୋନା ଭାଇରସକୁ ହାଲୁକାରେ ନନେଇ ପୂର୍ବପରି ସତର୍କତା ଅବଲମ୍ବନ କରିବା ଜରୁରୀ, ନହେଲେ ସ୍ଥିତି ଭୟଙ୍କର ହୋଇପାରେ ବୋଲି ଚେତାଇ ଦିଆଯାଇଛି। ଭାରତକୁ ପୁଣି ଥରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନ ଉପରେ ଗୁରୁତ୍ୱ ଦେବାକୁ ପଡିବ ବୋଲି ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୂଆ ଷ୍ଟ୍ରେନ୍ ସଂକ୍ରମଣରୁ ରକ୍ଷା ପାଇବା ପରେ ମଧ୍ୟ ପୁଣି ଥରେ ଏହା ରୋଗୀଙ୍କୁ ସଂକ୍ରମିତ କରିପାରେ। ବର୍ତ୍ତମାନ କୋଭିଡର ପରିବର୍ତ୍ତିତ ରୂପ ପୁଣି ଡରାଇବା ଆରମ୍ଭ କରିଛି। ବିଦେଶ ପରେ ଦେଶର ୫ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ମହାମାରୀ ଭୟ ପୁଣି ଘାରିଛି। କିଛି ଦିନ ମଧ୍ୟରେ କେରଳ, ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଅତି ଦ୍ରୁତଗତିରେ ବଢୁଛି କରୋନା ସଂକ୍ରମଣ। ଏମିତିକି ମହାରାଷ୍ଟ୍ରରେ କିଛି ଅଞ୍ଚଳରେ ପୁଣି ଲକଡାଉନ୍ ପ୍ରକ୍ରିୟା ଫେରି ଥିବାରୁ ଚିନ୍ତା ବଢ଼ିଛି। ଟୀକାକରଣରରେ ସରକାର ପ୍ରାୟ ୩କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ କରିବାକୁ ଯୋଜନା କରିଛନ୍ତି।

ସେପଟେ ଏଭଳି ସ୍ଥିତିରେ କରୋନା ପ୍ରତିହତ ପାଇଁ ଓଡ଼ିଶାବାସୀଙ୍କୁ ଅଧିକ ସତର୍କ ହେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ତେବେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ଲୋକେ ଆଗଭଳି ଆଉ ସତର୍କ ଓ ସଜାଗ ରହୁନଥିବା ଦେଖାଯାଉଛି। ଆଉ କରୋନାକୁ ରୋକିବାକୁ  ଆଗାମୀ ଦିନରେ କଟକଣାକୁ ପୂରା ଗୁରୁତ୍ୱ ଦିଆଯିବ ବୋଲି କମିଶନରେଟ୍ ପୋଲିସ କହିବା ପରେ ପୁଣି ଥରେ କରୋନା କଟକଣା ମାନିବାକୁ ମାନସିକ ଭାବରେ ପ୍ରସ୍ତୁତ ହେଉଛନ୍ତି ଲୋକ। ରାଜ୍ୟରେ ଧୀରେ ଧୀରେ କରୋନା କମିବା ପରେ ଆଉ କଟକଣାକୁ ମାନୁନାହାନ୍ତି ଲୋକେ। ବିଭିନ୍ନ ସହରରେ ଲୋକମାନେ କରୋନା କଟକଣାର ଧଜିଆ ଉଡାଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

ସାମାଜିକ ଦୂରତା ହେଉ କି ମାସ୍କ ପିନ୍ଧିବା କେଉଁ ଗୋଟିଏ ବି ଠିକରେ ପାଳନ ହେଉନି। ଏଣେ ମହାମାରୀର ଭୟ ସମ୍ପୂର୍ଣ୍ଣ ଦୂର ହୋଇନଥିଲେ ବି ଲୋକଙ୍କର ଏ ବେପରୁଆ ମନୋଭାବ ପୁଣି ବଢାଇ ଦେଇଛି ସଂକ୍ରମଣର ଆଶଙ୍କା। ସମସ୍ତେ ନିଜର ସୁରକ୍ଷା ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି କଟକ ଜିଲ୍ଲାପାଳ।

You might also like