ଉପରମୁହାଁ ହେଉଛି କରୋନା: ଗୋଟିଏ ଦିନରେ ବାହାରିଲେ ୫୯ ହଜାରରୁ ଅଧିକ ରୋଗୀ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ପାର କରିଯାଇଛି। ଦେଶରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ଛୁଇଁଛି।

ସେହିପରି ଦିନକରେ ୨୫୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ୨୫୭କୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୪୯ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୧୨ ଲକ୍ଷ ୬୪ ହଜାର ୬୩୭ ଜଣ ସୁସ୍ଥ ହୋଇଥିବା ବେଳେ ଏବେବି  ଆକ୍ଟିଭ କେସ୍ ରହିଛି ୪ ଲକ୍ଷ ୨୧ ହଜାର ୬୬ । ଆଜି ସୁଦ୍ଧା ୫ କୋଟି ୫୫ ଲକ୍ଷ ୪ ହଜାର ୪୪୦ ଜଣ ଟିକା ନେଇ ସାରିଲେଣି।

ସବୁଠାରୁ ଚିନ୍ତା ବଢାଇଛି ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଛତିଶଗଡ ଏବଂ ଗୁଜୁରାଟ। ଏହି ୬ ରାଜ୍ୟରୁ ୮୦ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି।

ମହାରାଷ୍ଟ୍ରରେ ଗୁରୁବାର ସବୁଠାରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଗୋଟିଏ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୫, ୯୫୨ ରୋଗୀ। ଏହି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୦୦, ୮୩୩ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତ ୪ ଦିନ ମଧ୍ୟରେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ଠାବ କରାଯାଇଛି। ସେହିପରି ସାରା ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୫୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ ସେଥିମଧ୍ୟରୁ କେବଳ ମହାରାଷ୍ଟ୍ରରେ ଅଛନ୍ତି ୧୧୧ ଜଣ । କେବଳ ମୁମ୍ବାଇ ସହରରେ ଗୋଟିଏ ଦିନରେ ସର୍ବାଧିକ ୫,୫୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଗୁଜରାଟରେ ଗୁରୁବାର ସର୍ବାଧିକ ୧୯୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ୨, ୯୪, ୧୩୦ ଛୁଇଁଛି।

You might also like