କରୋନା କଡ ଲେଉଟାଉଛି? ୨୪ ଘଣ୍ଟାରେ ୩୫ ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା

କଡ଼ ଲେଉଟାଇଲା କରୋନା?

ନୂଆଦିଲ୍ଲୀ: କଡ଼ ଲେଉଟାଇଲା କରୋନା? ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଗତ ୭ ଦିନ ହେଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ୨୦ ହଜାର ଉପରେ ରହୁଥିଲା। ହେଲେ ଆଜି ଏହି ସଂଖ୍ୟା ୩୫ ହଜାର ଡେଇଁଛି। ସଂକ୍ରମଣର ଦ୍ୱିତୀୟ ଲହର ସହ ମହାରାଷ୍ଟ୍ରରେ ଉଦବେଗଜନକ ସ୍ଥିତି ଦେଖାଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, କେବଳ ମହାରାଷ୍ଟ୍ରରେ ଦେଶର ମୋଟ ଆକ୍ରାନ୍ତଙ୍କ ୬୦ ପ୍ରତିଶତ ରହିଛନ୍ତି ।

ଭାରତରେ ଆସିଲା କି କରୋନାର ସେକେଣ୍ଡ ୱେଭ୍‌? ଲଗାତର ୧ ସପ୍ତାହ ଧରି ୨୦ ହଜାର ଉପରେ ଦୈନିକ ସଂକ୍ରମଣ, କରୋନାର କଡ଼ ଲେଉଟିବା ନେଇ ସଙ୍କେତ ଦେଉଛି। ଗୁରୁବାର ନୂଆ ରେକର୍ଡ ସହ ଦେଶରୁ ଚଳିତ ବର୍ଷର ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୮୭୧ ନୂଆ ଆକ୍ରାନ୍ତ। ଦେଶରେ ୧୦୨ ଦିନ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ଅତିକ୍ରମ କରିଛି। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୫ରେ ଗୋଟିଏ ଦିନରେ ୩୬ ହଜାର ୧୧ ଜଣ ଚିହ୍ନଟ ହୋଇଥିଲେ। ପାଖାପାଖି ସାଢେ ୩ ମାସ ପରେ ଦେଶର କରୋନା ଗ୍ରାଫ୍ ୩୫ ହଜାର ପାର୍ କରିଛି। ଏଥିସହ ୨୪ ଘଂଟା ଭିତରେ ମହାମାରୀରେ ଯାଇଛି ୧୭୨ ଜଣଙ୍କ ଜୀବନ। ଯାହା ଗତ ୨ ମାସ ମଧ୍ୟରେ ସର୍ବାଧିକ  ବୋଲି ଜଣାପଡ଼ିଛି।

ସଂକ୍ରମଣରେ ସବୁଠୁ ଅଧିକ ଚିନ୍ତା ବଢାଇଛି ମହାରାଷ୍ଟ୍ର। ଦିନକୁ ଦିନ ନୂଆ ନୂଆ ରେକର୍ଡ କରୁଛି ଏହି ରାଜ୍ୟ। ମହାରାଷ୍ଟ୍ର ୬ ମାସ ପରେ ସେଠାରୁ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ୨୩ ହଜାର ୧୭୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ୬୦ ପ୍ରତିଶତ କେବଳ ମହାରାଷ୍ଟ୍ରରେ ଅଛନ୍ତି। ଫ୍ରେବ୍ରୁଆରୀ ୯ରେ ଦେଶର ଦୈନିକ କରୋନା କେସ୍ ସର୍ବିନିମ୍ନ ସ୍ତରରେ ଥିଲା। ତେବେ ବର୍ତ୍ତମାନ ଏହା ୪୩ ପ୍ରତିଶତ ଗତିରେ ବଢ଼ିବାରେ ଲାଗିଛି। ଏପରିକି ଗତ ୧୫ ଦିନ ମଧ୍ୟରେ ୧୬ଟି ରାଜ୍ୟର ୭୦ଟି ଜିଲ୍ଲାରେ ନୂଆ କରୋନା ମାମଲା ଦେଢ ଶହ ପ୍ରତିଶତ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ୩୭ ପ୍ରତିଶତ ବଢୁଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଦେଶରେ ହୁ ହୁ ହୋଇ ବଢୁଥିବା ସଂକ୍ରମଣର ଦ୍ୱିତୀୟ ଲହରି ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହାରି ଭିତରେ ଦେଶରେ କୋଭିଡ୍ ପରୀକ୍ଷା ସଂଖ୍ୟା ୨୩ କୋଟି ପାର୍ କରିଛି। ସେପଟେ ୩ କୋଟି ୭୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

You might also like