ସାମ୍ନାକୁ ଆସିଲା ନୂଆ ତଥ୍ୟ; ଏସବୁ ଲକ୍ଷଣ ବି କରୋନାର କାରଣ ହୋଇପାରେ
ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଭାକ୍ସିନ ବାହାରି ନାହିଁ। ଏପରି ପରିସ୍ଥିତିରେ ଦ୍ରୁତ ଗତିରେ ଏହି ଭାଇରସ ତା‘ର କାୟା ବିସ୍ତାର କରି ଚାଲଛି। ତେଣୁ ଭାଇରସ୍ଠାରୁ ଦୂରରେ ରହବା ପାଇଁ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରଯାଉଛି। କାରଣ ଏକମାତ୍ର ସଚେତନତା ହିଁ କରୋନଠାରୁ ମୁକ୍ତି ଦେଇପାରିବ।
କରୋନକୁ ନେଇ ବିଭିନ୍ନ ଗବେଷଣା ଚାଲିଛି। ବିଭିନ୍ନ ସମୟରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ କରୋନାର ନୂଆ ଲକ୍ଷଣମାନ ବିଶେଷଜ୍ଞମାନେ ଦେଖିବାକୁ ପାଇଛନ୍ତି। କରୋନାର ଲକ୍ଷଣ ସାଧାରଣ ଥଣ୍ଡା, ଜର ପରି। ଯେମିତି, ଜ୍ୱର ଆସିବା, ଗଳାରେ ଯନ୍ତ୍ରଣା ହେବା, ଶୁଖିଲା କାଶ ହେବା, ମାଂସପେଶୀରେ ଦରଜ ଏବଂ ନିଃଶ୍ୱାସ ନେବାରେ କଷ୍ଟ ହେବା ତଥା ଶ୍ୱାସକ୍ରିୟାରେ କଷ୍ଟ ହେବା ଇତ୍ୟାଦି।
ଏସବୁ ବ୍ୟତୀତ ବିଶେଷଜ୍ଞମାନେ କରୋନାର ଆଉ କେତେକ ନୂଆ ଲକ୍ଷଣ ଦେଖିବାକୁ ପାଇଛନ୍ତି। ଏକ ଜାତୀୟ ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଅନୁସାରେ କିଛି ରୋଗୀଙ୍କଠାରେ ଡାଇରିଆ ଲକ୍ଷଣ ଦେଖାଯାଇଥାଏ। ଏହା ୨ ରୁ ୩ ଦିନ ଲାଗି ରୁହେ। ଏଥିସହିତ ରୋଗୀଙ୍କ ସ୍ୱାଦ ଏବଂ ଆଘ୍ରାଣ ଶକ୍ତି ମଧ୍ୟ କମିଯାଏ।
ଜର୍ମାନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୬୬ ପ୍ରତିଶତ କରୋନା ରୋଗୀଙ୍କ ସ୍ୱାଦ ଏବଂ ଆଘ୍ରାଣ ଶକ୍ତି କମିଯାଇଥିବା ଦେଖିବାକୁ ମିଳିଛି । ସେହିପରି ୩୩ ପ୍ରତିଶତ ରୋଗୀଙ୍କ ଶରୀରରେ ଡାଇରିଆ ଲକ୍ଷଣ ଦେଖାଯାଇଥିବା ଅଧ୍ୟୟନରୁ ଜଣାଯାଇଛି।
ସୂଚନାଥାଉ କି, ଭାରତରେ ବର୍ତ୍ତମାନ ସୁଦ୍ଧା ୨୫୦ ମାମଲା ସାମ୍ନାକୁ ଆସିଛି। ଭାରତର ଜନସଂଖ୍ୟା ଅଧିକ ଥିବାରୁ ଏହା ଖୁବ୍ ଶିଘ୍ର ବ୍ୟାପିଯିବାର ଯଥେଷ୍ଟ ଆଶଙ୍କା ରହିଛି। ଭାରତରେ ଏପରି ସ୍ଥାନ ରହିଛି ଯେଉଁଠି ଘର ଏବଂ ଲୋକଙ୍କ ମଧ୍ୟରେ ଦୂରତା ବହୁତ୍ କମ୍। ଏପରି ପରିସ୍ଥିତିରେ କରୋନା ବ୍ୟାପିବାର ଆଶଙ୍କା ବହୁତ ବେଶି ଥାଏ।