ଏହି ୪ ଭାକ୍ସିନକୁ ନେଇ ଆଶା ଉଜ୍ଜ୍ୱଳ, ଚାଲିଛି ଟ୍ରାଏଲ୍‌

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ପ୍ରକୋପ ବଢି ବଢି ଚାଲିଛି। କରୋନା ନିୟନ୍ତ୍ରଣ କରିବା ପାଇଁ ଔଷଧ ବାହାରିଛି ବୋଲି କେତେକ କମ୍ପାନୀ ଦାବି କରୁଛନ୍ତି। ହେଲେ ଏହା ଯେ କରୋନା ପାଇଁ ରାମବାଣ ନୁହେଁ ଏକଥା ମଧ୍ୟ ସେମାନେ କହିଛନ୍ତି। ଏପରି ପରିସ୍ଥିତିରେ ଭାକ୍ସିନକୁ ସମସ୍ତଙ୍କର ଅପେକ୍ଷା । ଭାକ୍ସିନ ତିଆରି କରିବା ପାଇଁ ଅନେକ କମ୍ପାନୀ ଉଦ୍ୟମ ଜାରି ରଖିଛନ୍ତି।  ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ (WHO) ପକ୍ଷରୁ କୁହାଯାଇଛି, କରୋନା ଭାଇରସ ବିରୋଧରେ ଲଢିବା ପାଇଁ ୪ଟି ଭାକ୍ସିନକୁ ନେଇ ଆଶା ଉଜ୍ଜ୍ୱଳ ରହିଛି। ଏହି ଭାକ୍ସିନ ଟ୍ରଏଲର ବିଭିନ୍ନ ଷ୍ଟେଜ୍‌ରେ ରହିଛି।

କରୋନା ଭାକ୍ସିନ ପାଇଁ ଆନ୍ତର୍ଜାତିକ ସ୍ତରରେ ୧୨୫ରୁ ଅଧିକ କମ୍ପାନୀ ଉଦ୍ୟମ ଚଳାଇଛନ୍ତି। ଏଥରୁ ଅଧିକରୁ ଅଧିକ ଭାକ୍ସିନ ଇଣ୍ଟରନାଶନାଲ ଡେଭଲପମେଣ୍ଟ ପ୍ରୋଗ୍ରାମ୍‌ରେ ଭାରତର ସଂପୃକ୍ତି ରହିଛି। ଏହାବ୍ୟତୀତ ଭାରତର ତିନିରୁ ୪ କମ୍ପାନୀ  ଭାକ୍ସିନ ତିଆରି କରୁଛନ୍ତି ଯାହାର କ୍ଲିନିକାଲ ଟାଏଲ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସାଇଣ୍ଟିଫିକ ଆଡଭାଇଜର ଡା.କେ.ବିଜୟରାଘବନ କହିଛନ୍ତି, ଭାକ୍ସିନ ଯିଏ ପ୍ରସ୍ତୁତ କରନ୍ତୁ ନା କାହିଁକି, ଭାରତକୁ କେହ ଅବହେଳା କରିପାରିବେ ନାହିଁ।

ଆସନ୍ତୁ ଜାଣିବା, କରୋନା ଭାଇରସର ନିରାକରଣ କେଉଁ ଭାକ୍ସିନ କେଉଁ ଷ୍ଟେଜ୍‌ରେ ଅଛି

ଏଷ୍ଟ୍ରାଜିନିକା ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟିର ମିଳିତ ଉଦ୍ୟମରେ କରୋନା ଭାକ୍ସିନ ପ୍ରସ୍ତୁତି ପାଇଁ ଉଦ୍ୟମ ଚାଲିଛି। ଚଳିତ ମାସରେ  ଏହାର ହ୍ୟୁମାନ ଟ୍ରାଏଲ ସାଉଥ୍‌ ଆଫ୍ରିକା ଏବଂ ବ୍ରାଜିଲ୍‌ରେ ଆରମ୍ଭ ହୋଇଯାଇଛି। କ୍ଲିନିକାଲ ଟ୍ରାଏଲ୍‌ ଷ୍ଟେଜ୍‌ରେ ଏହା ସବୁଠାରୁ ଆଗରେ ଅର୍ଥାତ୍‌ ତୃତୀୟ ଚରଣରେ ରହିଛି। ଏହାର ହ୍ୟୁମାନ ଟ୍ରାଏଲ ଫଳ ଜୁଲାଇ ଶେଷ ସୁଦ୍ଧା ମିଳିଯିବ। ପ୍ରାୟ ୨୦୦୦ ଲୋକଙ୍କ ଉପରେ ଏହାକୁ ଟ୍ରାଏଲ କରାଯାଇଛି।

 

ଆମେରିକା ଔଷଧ କମ୍ପାନୀ ମାଡର୍ନା ମଧ୍ୟ କରୋନା ଭାକ୍ସିନ ପ୍ରସ୍ତୁତି ପାଇଁ ଉଦ୍ୟମ ଚଲାଇଛି। କମ୍ପାନୀ ନିଜ ଉତ୍ପାଦ ଉପରେ ଏତେମାତ୍ରାରେ ଭରସା ରଖିଛି ଯେ, ସେ ଭାକ୍ସିନକୁ ବୋତଲରେ ଭରିବା ଏବଂ ପ୍ୟାକିଂ କରୁଥିବା କମ୍ପାନୀ ସହ କଥାବାର୍ତ୍ତା ଆରମ୍ଭ କରି ଦେଲାଣି। ପ୍ରାରମ୍ଭିକ ସ୍ତରରେ କମ୍ପାନୀ ୧୦୦ ମିଲିଅନ ଡୋଜ୍‌ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛି। ୨୦୨୦ ଶେଷସୁଦ୍ଧା ଏହା ୟୁଏସ ମାର୍କେଟ୍‌ ଉପଲବ୍ଧ ହେବ। ଏହାର ଥାର୍ଡ ଷ୍ଟେଜ୍‌ ଟ୍ରାଏଲ ବାକି ଅଛି। ଏହି ଟ୍ରାଏଲ୍‌ରେ ୩୦ ହଜାର ଲୋକ ସାମିଲ ହେବେ।

 

ପେଇଚିଂ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଏବଂ  ବାୟୋଟିକ୍‌ ଫର୍ମ କନ୍‌ସିନୋ ମିଳିତ ଉଦ୍ୟମରେ ଏକ ଭାକ୍ସିନ ତିଆରି ପାଇଁ ଉଦ୍ୟମ ଚାଲିଛି। ଏହା ହ୍ୟୁମାନ ଟ୍ରାଏଲ୍‌ର ଫେଜ୍‌ ୨ରେ ରହିଛି। ଚୀନ ଏବଂ କାନାଡାରେ ଏହାର ଟ୍ରାଏଲ୍‌ ଚାଲିଛି। ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡ଼ିଛି, ଯେଉଁ ୧୨୫ ଜଣ ଲୋକଙ୍କୁ ଏହାର ଡୋଜ ଦିଆଯାଇଛି, ସେମାନଙ୍କ ପାଖରେ କରୋନା ସହ ଲଢିବା ପାଇଁ ଏଣ୍ଟିବଡ଼ି ତିଆରି ହୋଇପାରୁଛି। ତେବେ ଆଗକୁ ଏହାର ଟ୍ରାଏଲ କରାଯିବ ଏବଂ ପ୍ରାୟ ୧ ମାସ ମଧ୍ୟରେ ଏହାର ଫଳାଫଳ ଜଣାପଡ଼ିଯିବ।

କରୋନାର ଉତ୍ପତିସ୍ଥଳ ଅର୍ଥାତ୍‌ ଉହାନ ୟୁନିଭର୍ସିଟି ଦାବି କରିଛି, ସେ ହିଁ ସବୁଠାରୁ ଆଗ ବାହାର କରିବ କରୋନା ଭାକ୍ସିନ। ସିନୋଫାର୍ମ ଏବଂ ସିନୋବ୍ୟାକ ନାମକ ଦୁଇଟି କମ୍ପାନୀ ମିଶି ଏହି ଭ୍ୟାକ୍ସିନ ତିଆରି କରୁଛନ୍ତି ଯାହା ୪୦୦ ରୋଗୀଙ୍କ ଉପରେ ଏହାର ଟ୍ରାଏଲ କରି ସାରିଛି। ଆସନ୍ତା ମାସ ସୁଦ୍ଧା ଏହାର ଫଳାଫଳ ସାମ୍ନାକୁ ଆସିଯିବ। କମ୍ପାନୀ ଚୀନ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ଏହି ଭାକ୍ସିନର ଟ୍ରାଏଲ କରିଛି।

You might also like