ଟିକା ଭୟରେ କାହିଁକି ନଦୀକୁ ଡେଇଁ ପଡ଼ିଲେ ଗ୍ରାମବାସୀ ? ଖୁଲାସା କଲେ ଅଧିକାରୀ

ଲକ୍ଷ୍ନୌ; ଉତ୍ତର ପ୍ରଦେଶର ବାରାବଙ୍କିର ଏକ ଗ୍ରାମ ସିସୌଡାରେ କରୋନା ଭାକ୍ସିନ ଦେବା ପାଇଁ ଆସିଥିବା ଟିମକୁ ଦେଖି ଭୟରେ ଲୋକେ ସରଜୂ ପରି ଭୟଙ୍କର ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ହେଲେ କାହିଁକି ଗ୍ରାମବାସୀ ଏପରି ପଦକ୍ଷେପ ନେଲେ ? ସତରେ ଭୟ ନା ଆଉ କିଛି କାରଣ ରହିଛି ଏହା ପଛରେ ? କ୍ୟାମେରା ସାମ୍ନାରେ ମୁହଁରେ ତାଲା ପକାଇଥିବା ଅଧିକାରୀମାନେ ଏବେ ମୁହଁ ଖୋଲିଛନ୍ତି । ପ୍ରଥମେ ଜିଲ୍ଲା ଅଧିକାରୀ ଡାକ୍ତର ଆଦର୍ଶ ସିଂହ ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ।

ଗ୍ରାମବାସୀଙ୍କୁ ଟିକା ଦେବାପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଶନିବାର ଶନିବାର ସିସୌଡା ଗ୍ରାମରେ ଶନିବାର ପହଞ୍ଚିଥିଲେ । ହେଲେ ଟିମକୁ ଦେଖି ଗ୍ରାମବାସୀ ଡରି ଯାଇଥିଲେ । ଗ୍ରାମବାସୀ ସ୍ୱାସ୍ଥ୍ୟ ବିଭାଗ ଟିମକୁ ଦେଖି ନଦୀ କୂଳରେ ଲୁଚିଥିଲେ । ସ୍ୱାସ୍ଥ୍ୟ ବିଭାଗ ଟିମ୍ ଯେତେବେଳେ ନଦୀକୂଳରେ ବସିଥିବା ଗ୍ରାମବାସୀଙ୍କ ପାଖକୁ ଗଲେ, ଗ୍ରାମବାସୀ ସରଜୂ ପରି ବିଶାଳ ଏବଂ ଭୟଙ୍କର ନଦୀ ଗର୍ଭକୁ ଡେଇଁ ପଡ଼ିଲେ । ମିଡିଆ ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହି ଘଟଣା ଚର୍ଚ୍ଚାକୁ ଆସିଥିଲା ।

ଏହି ଘଟଣାରେ କୌଣସି ଅଧିକାରୀ ମୁହଁ ଖୋଲୁ ନ ଥିବାବେଳେ ପ୍ରଥମେ ମୁହଁ ଖୋଲିଥିଲେ ଡାକ୍ତର ଆଦର୍ଶ ସିଂହ ।
ତେବେ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଆଦର୍ଶ ସିଂହଙ୍କ ଉତ୍ତର ଆଶ୍ଚର୍ଯ୍ୟ କରିଦେବା ପରି । ଘଟଣା ସମ୍ପର୍କରେ ଉତ୍ତର ଦେଇ ଡାକ୍ତର ସିଂହ କହିଛନ୍ତି, ‘ଆମ ଜିଲ୍ଲାରେ ଟିକାକରଣ ସଫଳତାର ସହ ଚାଲିଛି । ଲୋକଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇ ପାରିଛି । ରାମଗନର ତହସିଲର ସିସୌଡା ଗ୍ରାମରେ ଏହି ଘଟଣା ଘଟିଥିଲା । ଏହି ଗ୍ରାମକୁ ଟିକା ଦେବା ପାଇଁ ଆମ ଟିମ୍ ଯାଇଥିଲା । ନଦୀକୁ ଡେଇଁ ପଡ଼ିବା କଥା ଯାହା କୁହାଯାଉଛି, ଏହି ଫଟୋରେ ଅଧିକାଂଶ ଶିଶୁଙ୍କୁ ଦେଖିବାକୁ ମିଳିଛି । ବୋଧହୁଏ , ପିଲାମାନେ ଗରମ ଯୋଗୁ ପାଣିରେ ଖେଳୁଛନ୍ତି । ‘

‘ନଚେତ ଏମିତି ବି ହୋଇପାରେ କେହି ଟିକା ବିରୁଦ୍ଧରେ ଲୋକଙ୍କୁ ଭଡକାଇ କହିଛି ଯେଉଁଥିପାଇଁ ଲୋକମାନେ ପାଣିକୁ ଡେଇଁ ପଡ଼ିଛନ୍ତି । ‘ ସେ ଆହୁରି କହିଛନ୍ତି, ‘ଲୋକମାନଙ୍କୁ ମୋର ଅନୁରୋଧ, ଏପରି ଗୁଜବ ବା ଭିତ୍ତିହୀନ କଥାକୁ ବିଶ୍ୱସ ନ କରନ୍ତୁ ଏବଂ ଟିକା ନିଶ୍ଚିତ ଭାବେ ନିଅନ୍ତୁ । ଆମର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଟିକା ନେଇ ସାରିଛନ୍ତି । ଆଜି ଆମେ ୪ ହଜାର ଲୋକଙ୍କୁ ଟିକା ଦେଇ ସାରିଛୁ । ତେଣୁ କୌଣସି ପ୍ରକାର ଭ୍ରମର ବଶବର୍ତ୍ତୀ ନ ହୋଇ ଟିକା ନିଅନ୍ତୁ ।’

ରାମନଗର ତହସିଲର ଏସ୍‌ଡିଏମ ରାଜୀବ କୁମାର ଶୁକ୍ଳାଙ୍କ କହିବା ଅନୁଯାୟୀ, ଗାଁକୁ ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ ଟିକା ଦେବାକୁ ଯାଇଥିଲେ। ଟିକା ନେବାକୁ ପ୍ରଥମେ ଗାଁ ଲୋକ ମନା କରିଥିଲେ। ପରେ ମାତ୍ର ୧୪ ଜଣ ଟିକା ନେବାକୁ ରାଜି ହୋଇଥିଲେ। ଆଉ କିଛି ଲୋକ ଟିକାକରଣରୁ ବର୍ତ୍ତିବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ। ଗାଁ ଲୋକଙ୍କୁ ବୁଝାଇବା ପାଇଁ ଆଉ ଥରେ ପ୍ରୟାସ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

You might also like