୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ୬୦ ହଜାର ଟପିଲା କାରୋନା ଆକ୍ରାନ୍ତଙ୍କ ସଂଖ୍ୟା। କାଲି  ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ଆଜିସୁଦ୍ଧା ସଂଖ୍ୟା ୬୨ ହଜାର ୯୩୯ ପହଞ୍ଚିଛି।

ସେହିଭଳି ମୃତ୍ୟୁ ସଂଖ୍ୟା ବି ଦିନକୁ ଦିନ ବଢିବାରେ ଲାଗିଛି।  ଗତ ୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ନେଇଛି କରୋନା। ଏଥି ସହ ମୃତ୍ୟୁ ସଂଖ୍ୟା ୨୧୦୯ ଛୁଇଁଛି । ସେହିଭଳି ଦେଶରେ ଏବେ ଯାଏ ୧୯ ହଜାର ୩୫୮ ଜଣ କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୪୧ ହଜାର ୪୭୨ ଚିକିତ୍ସା ଚାଲିଛି ।

ଦିନକୁ ଦିନ ଅଣାୟତ୍ତ ହେଉଥିବା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୨୨୮ରେ ପହଞ୍ଚି ଥିବାବେଳେ ୭୭୯ ଜଣ ପ୍ରାଣ  ହରାଇଲେଣି। ତେବେ ଏଠାରେ ସୁସ୍ଥ ହେବା ହାର କମ୍ ରହିଛି । ଏବେ ସୁଦ୍ଧା ୩ ହଜାର ୮୦୦ ସୁସ୍ଥ ହୋଇଛନ୍ତି ।

ରାଜ୍ୟର ୭୮୬ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ୩ ପୋଲିସ କର୍ମଚାରୀ କରୋନାରେ ପ୍ରାଣ ହରାଇଥିବାବେଳେ ୭୬ ଜଣ ସୁସ୍ଥ ହୋଇଛନ୍ତି । ଗୁଜରାଟ, ଦିଲ୍ଲୀ, ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ସ୍ଥିତି ଉଦବେଗଜନକ ରହିଛି ।

ଗୁଜରାଟରେ ୭ ହଜାର ୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅହମ୍ମଦାବାଦ ସହରରେ ସଂକ୍ରମଣ ସ୍ଥିତି ସାଂଘାତିକ ରହିଛି । କେବଳ ଏହି ସହରରେ ୫ ହଜାର ୬୨୦ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୪୩ ଜଣଙ୍କ ମୃତ୍ୟୁ ଘଟିଲାଣି।

ଏହାପରେ ଦିଲ୍ଲୀରେ ୬ ହଜାର ୫୪୨, ତାମିଲନାଡୁରେ ୬ ହଜାର ୫୩୫, ରାଜସ୍ଥାନରେ ୩ ହଜାର ୭୦୮, ମଧ୍ୟପ୍ରଦେଶରେ ୩ ହଜାର ୬୧୪ ଏବଂ ଉତ୍ତରପ୍ରଦେଶରେ ୩ ହଜାର ୩୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ତେବେ ଆଗାମୀ ଦିନରେ ଅନ୍ୟ ବିକଶିତ ଦେଶମାନଙ୍କ ପରି ଭାରତରେ ସ୍ଥିତି ଅଧିକ ସଂଗୀନ ହେବାର ହେବାର ଆଶଙ୍କା ନାହିଁ ବୋଲି ସ୍ଥିତି ସମୀକ୍ଷା ପରେ ଆଶ୍ୱାସନା ଦେଇଛନ୍ତି କେନ୍ଦ୍ର ସ୍ଥାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।  ତଥାପି ସବୁ ପରିସ୍ଥିତି ପାଇଁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି ।

 

You might also like