ଦେଶରେ ଦୈନିକ ରେକର୍ଡ ଭାଙ୍ଗୁଛି କରୋନା, ଆଜି ବାହାରିଲେ ୧ ଲକ୍ଷ ୪୫ ହଜାର ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ଧରି ୧ ଲକ୍ଷ ଉପରେ ରହିଛି। ଶନିବାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୭୦୦ରୁ ଅଧିକ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧, ୪୫, ୩୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଦେଶରେ ୭୯୪ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ତଥ୍ୟ ଅନୁସାରେ, ଦେଶରେ ଏବେ କରୋନା ସଂକ୍ରମଣ ମାମଲା ୧୩, ୨୦୫, ୯୨୬ରେ ପହଞ୍ଚିଛି। ସେହିପରି ଦେଶରେ ୧, ୧୯, ୯୦,୮୫୯ ଜଣ ରୋଗ ମୁକ୍ତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୧, ୬୮,୪୩୬ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୯, ୮୦, ୭୫, ୧୬୦ ଜଣ ଟିକା ନେଇ ସାରିଛନ୍ତି। କେବଳ ଶୁକ୍ରବାର ୩୪, ୧୫, ୦୫୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି।

ଛତିଶଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୪୪୭ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪, ୧୮, ୬୭୮ରେ ପହଞ୍ଚିଛି। ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟାକ ରୋଗୀ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ ମଧ୍ୟ ଅଣାୟତ୍ତର ହେଉଛି କରୋନା।  ଶୁକ୍ରବାର ରାଜ୍ୟରୁ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୩୭୪ କରୋନା ରୋଗୀ।  ରାଜ୍ୟରେ ଏହାକୁ ମିଶାଇ ୩,୪୮,୧୮୨ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆକ୍ଟିଭ କେସ ଅଛି ୭୦୦୩। ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩,୩୯,୨୦୦। ଗତକାଲି ୩୧୦ ଜଣ ନୂଆ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଛତିଶତଗଡରେ ବଢୁଥିବା କରୋନା ଗ୍ରାଫକୁ ଦେଖିବା ପରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଛତିଶଗଡକୁ ଚଳାଚଳ କରୁଥିବା ଟ୍ରେନକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶାରେ କରୋନା ଅଣାୟତ୍ତ ହେଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଆଜିଠାରୁ ଛତିଶଗଡରୁ ବା ଛତିଶଗଡ ଦେଇ ଆସୁଥିବା ସମସ୍ତ ପ୍ରକାର ଟ୍ରେନ ସେବା ବନ୍ଦ ରଖିବା ପାଇଁ ରେଲୱେ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠ ଲେଖିଛନ୍ତି।

ସେହିପରି  ଛତିଶଗଡକୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ରିପୋର୍ଟ ନଆଣି ଚେକ୍‌ପୋଷ୍ଟ ଦେଇ ଆସୁଥିବା ବ୍ୟକ୍ତିଙ୍କୁ୭ ଦିନ କ୍ୱାରେଣ୍ଟିନରେ ରହିବା ପାଇଁ କୁହାଯାଇଛି।

କରୋନା ଭାଇରସ ଦ୍ୱିତୀୟ ଲହରକୁ ନେଇ ସାରା ଦେଶ ଚିନ୍ତାରେ ଅଛନ୍ତି।  ILS ନିର୍ଦ୍ଦେଶକଙ୍କ କହିବା ଅନୁସାରେ,ଏହି ଭାଇରସର ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ। ତେଣୁ ପୂର୍ବାପେକ୍ଷା ଅଧିକ ସଚେତନ ହେବାକୁ କୁହାଯାଇଛି।   ସଚେତନ ନହେଲେ ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚେତାବନୀ ଦିଆଯାଇଛି।

You might also like