ଦେଶରେ ୨୪ ଘଣ୍ଟାରେ ଆଖି ବୁଜିଲେ ୪୧୮୭ କରୋନା ରୋଗୀ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ବିତୀୟ ଲହର ଯେମିତି ଦେଶରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଛି । ଦେଶରେ ସଂକ୍ରମଣ ହାର ବଢିବା ସହ ମୃତୁ ହାର ମଧ୍ୟ ବଢି ଚାଲିଛି । ଆଜି ବି ୪ର୍ଥ ଦିନରେ ଦେଶରେ ସଂକ୍ରମଣ ହାର ୪ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪ ଲକ୍ଷ ୧ ହଜାର ୦୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି । ଆଜି ଦେଶରେ ୪୧୮୭ ଜଣଙ୍କର ମୃତ୍ୟୁ ଘଟିଛି ଯାହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।

ଦେଶରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି । ୨୫ ଦିନ ପୂର୍ବେ ଦେଶରେ କରୋନ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧ ହଜାର ଥିଲା । ଏପ୍ରିଲ ୧୩ରେ ମୃତ୍ୟୁ ସଂଖ୍ୟା ୧ ହଜାର ପାର କରିଥିଲା । ଏପ୍ରିଲ ୨୦ରେ ୨ ହଜାର ପାର କଲା । ଏପ୍ରିଲ ୨୩ରେ ୩ ହଜାର ପାର କରିଥିବାବେଳେ ମାତ୍ର ୧୦ ଦିନ ଭିତରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି ।

ଦେଶରେ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ରାଷ୍ଟ୍ର ହେଉଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଶୁକ୍ରବାର ୫୪, ୦୨୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୯, ୯୬,୭୫୮ରେ ପହଞ୍ଚିଛି । ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ, ୨୪ ଘଣ୍ଟ ମଧ୍ୟରେ ୮୯୮ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୪, ୪୧୩ ଜଣଙ୍କ ଜୀବନ ନେଲାଣି କରୋନା । ୩୭, ୩୮୬ ଜଣ ଆକ୍ରାନ୍ତ କରୋନା ମୁକ୍ତ ହୋଇଥିବାବଳେେ ୪୨, ୬୫, ୩୨୬ ଜଣ ଚିକିତ୍ସାଧୀନ ଅଛନ୍ତି । କେବଳ ମୁମ୍ବାଇରେ ୩୦୪୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୭୧ ଜଣଙ୍କର ମୃତ୍ୟୁ ଘଟିଛି । ନାସିକ, କୋହ୍ଲାପୁର, ସାଂଗଲି ଜିଲ୍ଲାରେ ସହର ତୁଳନାରେ ଗାଁରେ ଅଧିକ ସଂକ୍ରମଣ ବ୍ୟାପୁଛି ।

ଛତିଶଗଡରେ ୨୪ ଘଣ୍ଟାରେ ୧୩, ୬୨୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୦୮ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରେ ୧୧, ୭୦୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୪ ଜଣଙ୍କର ମୃତ୍ୟୁ ଘଟିଛି । ୟୁପିରେ ୨୪ ଘଣ୍ଟାରେ ୨୮, ୦୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୭୨ ଜଣଙ୍କର ମୃତ୍ୟୁ ଘଟିଛି ।

 

You might also like