ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ବି ୩ ଲକ୍ଷ ଉପରେ

ନୂଆଦିଲ୍ଲୀ:  ଭାରତରେ କରୋନା ଭାଇରସର କ୍ଷତି ବିସ୍ଫୋରକ ରୂପ ନେଇ ଆସିଛି।  କ୍ରମାଗତ ଭାବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ବୁଧବାର  ସପ୍ତମ ଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ବୁଧବାର ସକାଳେ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩, ୬୦, ୯୬୦  ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା ରେକର୍ଡ । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏକ କୋଟି ୮୦  ଲକ୍ଷରେ ପହଞ୍ଚିଛି।

ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।  ୨୪  ଘଣ୍ଟା ମଧ୍ୟରେ  କରୋନା ୩, ୨୯୩ ଜଣଙ୍କ  ଜୀବନ ନେଇଛି। ଏହାକୁ ମିଶାଇ   ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପାର କରିଛି। ଏହି ରୋଗରେ ଦେଶରେ ୨. ୦୧, ୧୮୭ ଜଣ ଆଖି ବୁଜି ସାରିଲେଣି।

ଏବେ ୨୯ ଲକ୍ଷ ୭୮ ହଜାର ୭୦୯ ଆକ୍ଟିଭ କେସ୍ ଥିବା ବେଳେ କରୋନାରୁ ଏଯାଏ ସୁସ୍ଥ ହେଲେଣି ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧ ଜଣ । ଏଯାବତ ଦେଶରେ ୧୪ କୋଟି ୭୮ ଲକ୍ଷ ୨୭ ହଜାର ୩୬୭ ଡୋଜ୍ ଟିକାକରଣ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଚଳିତ ବର୍ଷର ପ୍ରଥମ ତିନିମାସ ତୁଳନାରେ ଏପ୍ରିଲରେ କରୋନା ସଂକ୍ରମଣ ଆଶାତୀତ ବୃଦ୍ଧି ପାଉଚି।  ଏପ୍ରିଲ ୧ ତାରିଖରୁ ଦେଶରେ ୫୮, ୪୭, ୯୩୨ ନୂତନ ମାମଲା ସାମ୍ନାକୁ ଆସିଛି। ସେହିପରି ଏପ୍ରିଲରେ କୋଭିଡରେ ୩୮, ୭୧୯ ଜଣଙ୍କର   ମୃତ୍ୟୁ ଘଟିଛି। ଏହା ପୂର୍ବରୁ, ଏପ୍ରିଲ ୨୭ (ମଙ୍ଗଳବାର)ରେ  ସାରା ଦେଶରେ ୩, ୨୩, ୧୪୪  ସଂକ୍ରମିତ ବାହାରିଥିଲେ।  ଏପ୍ରିଲ ୨୬  (ସୋମବାର) ରେ ରିପୋର୍ଟ ହୋଇଥିବା ସଂଖ୍ୟା ଥିଲା ୩, ୫୨, ୯୯୧, ଏପ୍ରିଲ ୨୫  (ରବିବାର) ରେ ଭାରତରେ ୩, ୪୯, ୬୯୧, ଏପ୍ରିଲ ୨୪ (ଶନିବାର) ରେ ୩, ୪୬, ୭୮୬  ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଏପ୍ରିଲ ୨୩ (ଶୁକ୍ରବାର) ରେ୩, ୩୨, ୭୩୦ କରୋନା ମାମଲା ପଞ୍ଜୀକୃତ ହୋଇଥିଲାବେଳେ ଦେଶରେ ପ୍ରଥମ ଥର ପାଇଁ ଏପ୍ରିଲ 22 (ଗୁରୁବାର) ରେ ତିନି  ୩, ୧୪, ୮୩୫  ନୂତନ ମାମଲା ରିପୋର୍ଟ କରାଯାଇଥିଲା।

ଦିଲ୍ଲୀରେ ହୃଦୟ ଥରାଇ ଦେଇଛି କରୋନାର କରୁଣ ଚିତ୍ର। ହସ୍ପିଟାଲ୍‌ରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମିଳୁନି ବେଡ୍। ଆଉ ମୃତ୍ୟୁ ପରେ ବି ଶ୍ମଶାନରେ ଜାରି ରହିଛି ମଣିଷର ସଂଘର୍ଷ। କାରଣ ଏତେ ସଂଖ୍ୟାରେ ମୃତଦେହ ଦିଲ୍ଲୀକୁ ଆସୁଛି ଯାହାକୁ ସତ୍କାର କରିବାକୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ। ଗୋଟିଏ ମୃତଦେହର ଅନ୍ତିମ ସତ୍କାର ପରେ ପଛରେ ଅପେକ୍ଷା କରିଥିବା ଅନ୍ୟ ଏକ ମୃତଦେହକୁ ଅଣାଯାଉଛି।

ଶ୍ମଶାନ ବାହାରେ ଆମ୍ବୁଲାନ୍ସର ଲମ୍ବା ଲାଇନ୍ ଲାଗି ରହିଛି। ମୃତଦେହକୁ ନେଇ ଆସିଥିବା ବ୍ୟକ୍ତି ଦିନ ଦିନ ଧରି ବାହାରେ ଏପରି ଅପେକ୍ଷା କରି ରହିଛନ୍ତି। ଶ୍ମଶାନରେ ଜାଗା କମ ହେବା ପରେ ଏବେ ନୂଆ  ଶ୍ମଶାନ ନିର୍ମାଣ କରାଯାଉଛି। ଖାଲି ପଡ଼ିଆରେ ପିଣ୍ଡି ନିର୍ମାଣ ହେଉଛି।

You might also like