ଦେଶରେ ସଂକ୍ରମଣ କମୁଛି, ହେଲେ ଡରଉଛି ମୃତ୍ୟୁ ସଂଖ୍ୟା: ୨୪ ଘଣ୍ଟାରେ ଆଖି ବୁଜିଲେ ୪,୧୯୪

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଆଜି ବି ତଳମୁହାଁ ରହିଛି। ହେଲେ ମୃତ୍ୟୁ ସଂଖ୍ୟା କହୁଛି ଦେଶରୁ କରୋନା ବିପଦ ଟଳିନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ  ୨ଲକ୍ଷ ୫୭ ହଜାର ୨୯୯  କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ହେଲେ ମୃତ୍ୟୁ ସଂଖ୍ୟା ଆଜି ବି ୪ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୨ ଲକ୍ଷ ୮୯ ହଜାର ୨୯୦କୁ ବୃଦ୍ଧି ପାଇଛି। ସେହିପରି ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୯୫ ହଜାର ୫୨୫କୁ ଛୁଇଁଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷ ୨୩ ହଜାର ୪୦୦ ଆକ୍ଟିଭ କେସ ରହିଛି। ଏହି ସମୟ ମଧ୍ୟରେ ଦେଶରେ ୨ କୋଟି ୩୦ ଲକ୍ଷ ୭୦ ହଜାର ୩୬୫ ଜଣ ସୁସ୍ଥ ହୋଇଛନ୍ତି।  ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ମଧ୍ୟ କରୋନା ସଂକ୍ରମଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

କରୋନାର ଦ୍ୱିତୟ ଲହରର ପ୍ରଭାବ ପ୍ରଥମେ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିଲା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୬୪୪ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଅନ୍ୟପକ୍ଷେ ଏହି ସମୟ ମଧ୍ୟରେ ରାଜ୍ୟରେ କରୋନାରେ ୫୫୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷ ୨୭ ହଜାର ୦୯୨ ଅଛି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟରେ ୮୬ ହଜାର ୬୧୮ରେ ପହଞ୍ଚିଛି।

ସେହପରି ପଶ୍ଚିମବଙ୍ଗରେ ୨୪ ଘଣ୍ଟା ମଧ୍ୟରେ ୧୫୯ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪, ୦୫୪ରେ ପହଞ୍ଚିଛି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ , ଏଠାରେ ୨୪ ଘଣ୍ଟାରେ ୧୯ ହଜାର ୮୪୭ ନୂଆ ମାମଲା ସାମ୍ନାକୁ ଆସିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨, ୨୯, ୮୦୫ରେ ପହଞ୍ଚିଛି। ରାଜ୍ୟରେ ଆକ୍ଟିଭ କେସ ୧, ୩୨, ୧୮୧ ଥିବାବେଳେ ୨୪ ଘଣ୍ଟାରେ ୧୯, ୦୧୭ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ  ବର୍ତ୍ତମାନ ସୁଦ୍ଧା ୧୦, ୮୩,୫୭୦ ଜଣ କରୋନାରୁ ମୁକ୍ତ ହୋଇଛନ୍ତି।

You might also like