ଦେଶରେ ଅଣାୟତ୍ତ କରୋନା; ଦିନକରେ ଆକ୍ରାନ୍ତ ହେଲେ ୩.୩୨ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବଢ଼ିବାରେ ଲାଗିଛି। ଗତକାଲି ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ହୋଇଥିବାବେଳେ ୨୧୦୪ ଜଣ ପ୍ରାଣ ନେଇଥିଲା କରୋନା। ହେଲେ ଆଜି ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଦିନକରେ ୨୨୬୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ ହଜାର ୬୯୫କୁ ବୃଦ୍ଧି ପାଇଛି। ସେହିଭଳି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୦କୁ ବୃଦ୍ଧି ପାଇଛି। ଦେଶରେ ଆକ୍ଟିଭ  କେସ୍ ସଂଖ୍ୟା ୨୪ ଲକ୍ଷ ୨୮ ହଜାର ୬୧୬ରେ ପହଞ୍ଚିଛି। ଏବେ ଯାଏଁ ଦେଶରେ ସୁସ୍ଥ ହୋଇଛନ୍ତି ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଦେଶରେ ସଂକ୍ରମଣ ହାର ଦେଖିଲେ, ଜଣାଯାଏ, ଭାରତ ଆମେରିକାକୁ ବଳିଗଲାଣି। ସେହପରି ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତା ବଢାଇଛି। ବିଶ୍ୱରେ ମାତ୍ର ୨ଟି ଦେଶ ଭାରତ ଓ ବ୍ରାଜିଲ ଯେଉଁଠି ଦୈନିକ ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି।

ଦେଶରେ ୨୪ଘଣ୍ଟାରେ ସର୍ବାଧିକ ୫୬୮ ଜଣଙ୍କର ମୃତ୍ୟୁ କେବଳ ମହାରାଷ୍ଟ୍ରରେ ହୋଇଛି। ଏହା ପଛରେ ରହିଛି ଦିଲ୍ଲୀ। ଦିଲ୍ଲୀରେ ୩୦୬, ଛତିଶଗଡ଼ରେ ୨୦୭, ୟୁପିରେ ୧୯୫, ଗୁଜରାଟରେ ୧୩୭, କର୍ଣ୍ଣାଟକ ୧୨୩, ପଞ୍ଜାବରେ ୭୫ ଓ ମଧ୍ୟ ପ୍ରଦେଶରେ ୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ୮ଟି ରାଜ୍ୟରେ ମୋଟ ୧୬୮୬ ଜଣଙ୍କର ମୃତ୍ୟୁ ଘଟିଛି ଯାହା ମୋଟ ମୃତ୍ୟୁ ସଂଖ୍ୟାର ୭୪. ୭୬ ପ୍ରତିଶତ।

ସୂଚନାଥାଉ କି, ଜାରି ରହିଥିବା କରୋନାର ଦ୍ୱିତୀୟ ଲହର ଭିତରେ ଏବେ ଦେଶକୁ ଘାରିଛି ଆଉ ଏକ ନୂଆ ଚିନ୍ତା । ତାହା ହେଉଛି, କରୋନା ଭୂତାଣୁର ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟ୍ ।  ପୂର୍ବରୁ ଠାବ ହୋଇଥିବା ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍‌ରେ କରୋନାର ୨ଟି ରୂପାନ୍ତର ଗୁଣ ପ୍ରକାଶ ପାଉଥିବା ବେଳେ, ସେଥିରେ ଆଉ ଏକ ମ୍ୟୁଟେସନ୍ ମିଶି ମୋଟ ୩ଟି ଷ୍ଟ୍ରେନ୍‌ର ଗୁଣ ପ୍ରକାଶ ପାଇଛି ।

ଏହି ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟ  ୪ଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ଼ରେ  ଠାବ ହୋଇଥିଲେ ବି ପଶ୍ଚିମବଙ୍ଗକୁ ଏହାର ହଟ ସ୍ପଟ୍ ବୋଲି ଅନୁମାନ କରାଯାଉଛି। ତେଣୁ ଟ୍ରିପଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନକୁ ବେଙ୍ଗଲ୍ ଷ୍ଟ୍ରେନ୍ ବୋଲି ବି କହୁଛନ୍ତି କିଛି ବିଶେଷଜ୍ଞ ।

ତେବେ ଚିନ୍ତାଜନକ ବିଷୟ ହେଉଛି, ଏହି ଷ୍ଟ୍ରେନ୍ ପୂର୍ବାପେକ୍ଷା ଆହୁରି କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରିବ, ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଚକ୍‌ମା ଦେଇ ଆକ୍ରାନ୍ତ କରିପାରିବ । ସଂକ୍ରମିତଙ୍କୁ ଶୀଘ୍ର ରୋଗଗ୍ରସ୍ତ କରିପାରିବ, ପୂର୍ବରୁ ଅନ୍ୟ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇସାରିଥିବା ରୋଗୀଙ୍କୁ ଏବଂ ଟିକା ନେଇସାରିଥିବା ବ୍ୟକ୍ତିଙ୍କୁ ପୁଣି ଆକ୍ରାନ୍ତ କରିପାରିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ଏହି ଭାରିଆଣ୍ଟ୍ ସଂପର୍କରେ ଅଧିକ ଗବେଷଣା ଜାରି ରହିଛି।

You might also like