ଦେଶରେ କରୋନା ନେଲା ୩୫୨୩ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ  ଲହର ଭୟଙ୍କର ରୂପ ନେଇଛି । ସଂକ୍ରମଣର ପ୍ରତିଦିନ ନୂଆ ରେକର୍ଡ ଦେଖିବାକୁ ମିଳୁଛି । କରୋନା ଗ୍ରାଫ ଯେପରି ଉପରମୁହାଁ ହେବାରେ ଲାଗିଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି ।
ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଏକ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ରେ ପହଞ୍ଚିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪, ୦୧,୯୯୩ ଜଣଙ୍କୁ ମହାମାରୀ ନିଜ କବଜାକୁ ନେଇଛି । ଏହି ସମୟ ମଧ୍ୟରେ ୩୫୨୩ ଜଣଙ୍କର ମୃତ୍ୟୁ ଘଟିଛି ।

ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ଜଣ ରୋଗମୁକ୍ତ ହୋଇଛନ୍ତି । ଏବେ ଦେଶରେ ୩୨ ଲକ୍ଷ ୬୮ ହଜାର ୭୧୦ ଆକ୍ଟିଭ କେସ୍‌ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୃତକଙ୍କୁ ମିଶାଇଲେ ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ୧୧ ହଜାର ୮୫୩ରେ ପହଞ୍ଚିଛି । ଆଇସିଏମଆର ଅନୁଯାୟ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯, ୪୫, ୨୯୯ ଜଣ କରୋନା ପରୀକ୍ଷା କରାଇଛନ୍ତି ।
କରୋନାରେ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଖରାପ ରହିଛି । ଶୁକ୍ରବାର ରାଜ୍ୟରେ ୬୨, ୯୧୯ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି୬୯, ୭୧୦ ଜଣ । ଗତ ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟରେ ୮୨୮ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ବର୍ତ୍ତମାନ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୮ ହଜାର ୮୧୩ ରହିଛି ।

ସେହିପରି ବିହାରରେ କରୋନାରେ ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ସମେତ ୮୦ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨୫୬୦ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪,୭୦,୩୧୭ରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହଙ୍କ କରୋନା ମୃତ୍ୟୁ ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଉତ୍ତର ପ୍ରଦେଶରେ ଶୁକ୍ରବାର ୩୪, ୩୭୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଇତି ମଧ୍ୟରେ ୯ ଲକ୍ଷ ୨୮ ହଜାର ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି । ୧୨, ୫୭୦ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ ବି ୩ ଳକ୍ଷ ୧୦ ହଜାର ଲୋକ ଚିକିତ୍ସିତ ହୋଉଛନ୍ତି ।

ସୂଚନାଥାଉ କି, ଏପ୍ରିଲ ୨୧ ତାରିଖରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ଟପିଥିଲା । ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ୧୧ ଦିନରେ ୪ ଟପିଛି । ସେହିପରି ଏପ୍ରିଲ ୨୧ ତାରିଖରେ ମୃତ୍ୟୁ ସଂଖ୍ୟା ୨,୦୯୧ ଥିଲା । ୧୧ ଦିନ ପରେ ଏହି ସଂଖ୍ୟା ବୃଦ୍ଧି ପାଇ ୩,୫୨୩ରେ ପହଞ୍ଚିଛି ।

You might also like