ପ୍ରଥମ ଲହରଠୁ ଭୟଙ୍କର ହେଉଛି କରୋନା: ଦିନକରେ ୮୮୦ ଆଖି ବୁଜିଲେ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ପ୍ରଥମ ଲହରଠୁ ଆହୁରି ଭୟାନକ ରୂପ ଧାରଣ କରି ବ୍ୟାପିବାରେ ଲାଗିଛି ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଏକ ଲକ୍ଷ ୬୦ ହଜାର ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି  ୮୮୦ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୧,୭୫୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୩, ୬୦୪ ଜଣ, ଛତିଶଗଡରେ ୧୩,୫୭୬ ଏବଂ ଦିଲ୍ଲୀରେ ୧୧,୪୯୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ଦେଶରେ ମୋଟ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ଆକ୍ଟିଭ କେସ୍‌ ଅଛି ୧୨ ଲକ୍ଷ ୬୪ ହଜାର ୬୯୮ ଏବଂ ମୃତ୍ୟୁ ସଂଖ୍ୟା ରହିଛି ୧ ଲକ୍ଷ ୭୧ ହଜାର ୫୮ । ଏଯାଏଁ ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ ଜଣ କରୋନାରୁ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ତେବେ ମହାରାଷ୍ଟ୍ର ଏବେ ଚିନ୍ତାର ବିଷୟ ହୋଇଛି। ଏଠି ସଂକ୍ରମଣ ବିସ୍ଫୋରକ ରୂପ ନେଲାଣି। ରାଜ୍ୟରେ ଗତକାଲି ପ୍ରାୟ ୬୩ ହଜାର ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ୩୪୯ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ମୁମ୍ବାଇରେ ଦିନକରେ ୯ ହଜାର ୨୦୦ ଲୋକ ସଂକ୍ରମିତ ହୋଇଛନ୍ତି । ପରିସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ସପୂର୍ଣ୍ଣ ରାଜ୍ୟରେ ଲକ୍‌ଡାଉନ୍ ପାଇଁ ପ୍ରସ୍ତୁତ ହେଲେଣି ରାଜ୍ୟ ସରକାର।

ସେହିପରି ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ର ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ରାଜଧାନୀ ଦିଲ୍ଲୀରେ ବି ସ୍ଥିତି ଅସମ୍ଭାଳ ପ୍ରଥମ ଥର ପାଇଁ ୧୦ ହଜାର ପାର କରିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଦିଲ୍ଲୀରେ ଏହା କରୋନାର ଚତୁର୍ଥ ଲହର ଚାଲିଥିବା କୁହାଯାଉଛି।

ସୁପ୍ରିମକୋର୍ଟରେ ବି ପଡିଛି ଏହି ସଂକ୍ରମଣର ପ୍ରଭାବ । ସର୍ବୋଚ୍ଚ ନ୍ୟାୟାଳୟର ଅନେକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛିି । ଟେଷ୍ଟ କରିଥିବା ୯୦ କର୍ମଚାରୀଙ୍କ ମଧ୍ୟରୁ ୪୪ ଜଣଙ୍କ ନମୁନା ପଜିଟିଭ୍ ଆସିଛି । ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରା ସୁପ୍ରିମକୋର୍ଟ ପରିସରକୁ ସାନିଟାଇଜ୍ କରାଯାଇଛି।

ଅନ୍ୟପକ୍ଷରେ ଅକରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଭୋପାଳରେ ଲାଗିଛି କର୍ଫ୍ୟୁ। ଗତକାଲିଠୁ ଲାଗିଥିବା କର୍ଫ୍ୟୁ ଆସନ୍ତା ୧୯ ତାରିଖ ଯାଏଁ ବଳବତ୍ତର ରହିବ। ଲୋକଙ୍କୁ ଅତି ଆବଶ୍ୟକ ହେଲେ ହିଁ ଘରୁ ବାହାରିବାକୁ କୁହାଯାଇଛି । ଜରୁରୀକାଳୀନ ସାମଗ୍ରୀରେ ନିୟୋଜିତ ଗାଡ଼ି, କରୋନା ଯୋଦ୍ଧାଙ୍କୁ ଚଳପ୍ରଚଳ ପାଇଁ ଅନୁମତି ମିଳିଛି।

ସେହିପରି ବ୍ୟାଙ୍କ, ଗଣମାଧ୍ୟମ ସମେତ କିଛି ନିର୍ଦ୍ଧିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଧ୍ୟପ୍ରଦେଶରୁ ୬୪୮୪ ପଜିଟିଭ୍ ବାହାରିଛନ୍ତି। ସେପଟେ ଭୋପାଳରେ କରୋନା ମୃତକଙ୍କ ଶେଷକୃତ୍ୟ ବେଳର ବିକଳ ଚିତ୍ର ସାମ୍ନାକୁ ଆସିଛି। ଶ୍ମଶାନରେ ଶବ ସତ୍କାର କରିବାକୁ ଲୋକେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ସୂଚନାଥାଉ କି, ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିଛି କରୋନା। ଆଜିର ତଥ୍ୟ ଅନୁସାରେ, ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୫୮ ହଜାର ୧୪୮କୁ ବୃଦ୍ଧି ପାଇଥିବା ବେଳେ  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ କୋଟି ୭୨ ଲକ୍ଷ ୪୨ ହଜାର ୭୮୦ ଛୁଇଁଛି। କରୋନାରୁ ସୁସ୍ଥ ହେଲେଣି ୧୧ କୋଟି ୪ ଲକ୍ଷ ୨୧ ହଜାର ୯୪୮ ଜଣ।

You might also like