ଆମେରିକା; ଦିନକରେ ୧୫୦୦ରୁ ଅଧିକ ମୁଣ୍ଡ ନେଲା କରୋନା

ୱାଶିଂଟନ: ସାରା ବିଶ୍ୱରେ ଏବେ ସାଂଘାତିକ ସ୍ଥିତି।  କରୋନା ସଂକ୍ରମଣ ଏବେ ବିଶ୍ୱର ୨୧୦ ଦେଶରେ ତାର କାୟା ବିସ୍ତାର କଲାଣି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକା।  ଗତକାଲି ପୁଣି ଥରେ ଗୋଟିଏ ଦିନରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟ ସଂଖ୍ୟା ସାଢ଼େ ୨୩ ହଜାରରେ ପହଞ୍ଚିଛି।

କେବଳ ନ୍ୟୁୟର୍କରେ ଏବେ ସୁଦ୍ଧା ୧୦ ହଜାର ଲୋକ କରୋନା ଯୋଗୁ ପ୍ରାଣ ହରାଇଲେଣି।  ଆମେରିକାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୪ ହଜାର ଟପିଲାଣି।  ନ୍ୟୁଜର୍ସି, ମାସାସୁଚସେଟସ, ମିଚଗାନ ଓ କାଲିଫର୍ଣ୍ଣିଆ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ କରୋନା ଯୋଗୁ ଆମେରିକାରେ ୧୫୦୯ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଏଠାରେ ୧୫୨୮ ଜଣଙ୍କ ଜୀବନ ଯାଇଥିଲା। ୨୪ ଘଣ୍ଟାରେ ୧୫୦୯ ଜଣଙ୍କ ଜୀବନ ଯିବା ପରେ ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩,୬୪୦ରେ ପହଞ୍ଚି ଯାଇଛି।

ସେହିପରି ୟୁରୋପରେ ଏବେ ସ୍ଥିତି ଜଟିଳ  ଆଡ଼କୁ ଗଲାଣି।  ଇଟାଲିରେ ମୃତ୍ୟୁ ସଂଖ୍ୟା ୨୦ ହଜାରକୁ ପାର କରିଥିବା ବେଳେ ସ୍ପେନ୍‌ରେ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି।

ଏବେ ବିଶ୍ୱ ଆକ୍ରାନ୍ତଙ୍କ ତାଲିକାରେ ସ୍ପେନ୍ ଦ୍ୱିତୀୟ ନମ୍ବରରେ ରହିଛି। ଏବେ ଯାଏ କେବଳ ସ୍ପେନ୍‌ରେ ଲକ୍ଷେ ୭୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଇଂଲଣ୍ଡରେ ୧୧ ହଜାରରୁ ଅଧିକ, ଫ୍ରାନ୍ସରେ ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ପାର ହୋଇଥିବା ବେଳେ ୨୦ ଲକ୍ଷ ପାଖାପାଖି ପହଞ୍ଚିଲାଣି  ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଭଲ କଥା ହେଉଛି, ଏବେ ସୁଦ୍ଧା ୪ ଲକ୍ଷ ୪୩ ହଜାର ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି।

 

 

You might also like