ଆମେରିକାରେ କରୋନା ସ୍ଥିତି : ୨୪ ଘଣ୍ଟାରେ ୧୬୫ ମୃତ, ୧୨ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ:କରୋନା ଭାଇରସ୍‌ ପୃଥିବୀବାସୀଙ୍କ ନିଦ ହଜାଇ ଦେଇଛି। ଭାଇରସ୍‌ର ଉତ୍ପତିସ୍ଥଳ ଚୀନ ହୋଇଥିଲେ ହେଁ ଆମେରିକାର ସ୍ଥିତି ସବୁଠାରୁ ବେଶି ବିଗିଡ଼ି ଯାଇଛି।  ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ରରେ ଏବେ କରୋନା ସ୍ଥିତି ଅଣାୟତ୍ତ ।  ଅନ୍ୟ ସମସ୍ତ ରାଷ୍ଟ୍ରଠାରୁ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଆମେରିକାରେ । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୨ ହଜାରରୁ ଅଧିକ ହେଲେଣି।  ସେହିପରି ମୃତକଙ୍କ ସଂଖ୍ୟା ଦୁଇ ହଜାର ପାର ହୋଇଛି ।

ଗତକାଲି ଗୋଟିଏ ଦିନରେ ଆମେରିକାରେ ୧୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାରରୁ ଅଧିକ ଅକ୍ରାନ୍ତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ସାମାଜିକ ଦୂରତା କଟକଣାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତି ବଢ଼ାଇଛନ୍ତି ଆମେରିକା ସରକାର।

ସେହିପରି ଆମେରିକା ପରେ ଇଟାଲିରେ ମଧ୍ୟ ଉଦବେଗଜନକ ସ୍ଥିତି। ଇଟାଲିରେ ମୃତକଙ୍କ ସଂଖ୍ୟା ୧୦ ହଜାରକୁ ପାର କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାରରୁ ଅଧିକ ରହିଛି । ସ୍ପେନ୍, ଜର୍ମାନୀ, ଇରାନ୍, ଇଂଲଣ୍ଡ ସମେତ ସୁଜରଲାଣ୍ଡ, ନେଦରଲ୍ୟାଣ୍ଡସ୍ ସମେତ ସାରା ୟୁରୋପ ମହାଦେଶରେ ଏବେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି।

ତେବେ କରୋନାର ଉତ୍ପତି ସ୍ଥଳ ଚୀନରେ ଏହି ସଂଖ୍ୟାରେ ନିୟନ୍ତ୍ରଣ ଆସିଥିବା ଲକ୍ଷ କରାଯାଇଛି । ଗତକାଲି ଚୀନରେ ମାତ୍ର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚୀନରେ ଏବେ ସୁଦ୍ଧା ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।  ୮୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ସାରା ବିଶ୍ୱରେ ଏହି ଭାଇରସ୍ ପ୍ରଭାବରେ ମୋଟ୍ ୭ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୩୩ ହଜାରକୁ ପାର କରିଛି। ହେଲେ ସବୁଠୁ ଭଲ କଥା ହେଉଛି ଏବେ ସୁଦ୍ଧା ଦେଢ଼ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

You might also like