କରୋନା ଅପ୍‌ଡେଟ୍‌: ଦେଶରେ କରୋନା ସ୍ଥିତି ଏବେ ଏମିତି

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଶରେ ୯୦୯ ଜଣ କରୋନାରେ ଚିକିତ୍ସିତ ହେଉଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ ରହିଛନ୍ତି। ସେପଟେ ଏବେ ଯାଏ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଗତ ୨୪ ଘଣ୍ଟାରେ ଭାରତରେ ୧୯୪ ନୂଆ ପଜିଟିଭ୍ ରିପୋର୍ଟ ଆସିଛି। ଏହାକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି କଡ଼ା ପଦକ୍ଷେପ ନିଆଯାଇଛି।

ଏହାସହ ଘରୋଇ ମେଡିକାଲରେ କୋଭିଡ-୧୯ ପରୀକ୍ଷଣକୁ ତ୍ୱରାନ୍ୱିତ କରାଯାଇଛି। ଏ ପର୍ଯ୍ୟନ୍ତ ଘରୋଇ ମେଡିକାଲରେ ୪୦୦ ସାମ୍ପୁଲ ଟେଷ୍ଟ ହୋଇଛି। ଦିଲ୍ଲୀ AIIMSରେ ଟେଲି ପରାମର୍ଶ କେନ୍ଦ୍ର ଖୋଲାଯାଇଛି। ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ମହାରାଷ୍ଟ୍ର ୮ଟି ପଜିଟିଭ ରିପୋର୍ଟ ଆସିଛି। ୭ଟି ମୁମ୍ବାଇର ହୋଇଥିବାବେଳେ ଗୋଟିଏ ନାଗପୁରର ବୋଲି ଜଣାପଡ଼ିଛି।

ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଛି। ସେହିଭଳି ୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମଧ୍ୟପ୍ରଦେଶରେ ଗତକାଲି ନୂଆ ୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ରୋଗୀ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କେହି ବି ବିଦେଶ ଗସ୍ତ କରିନଥିବା ଖବର ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ କୁହାଯାଇଛି।

ସେହିପରି କେରଳରେ ଏବେ ୧୭୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ରାଜ୍ୟରେ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କୌଣସି ରୋଗୀଙ୍କ ଏଯାଏ ମୃତ୍ୟୁ ହୋଇନି। ତେବେ ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜସ୍ଥାନରେ ଏବେ ଯାଏ ୫୪ ଆକ୍ରାନ୍ତ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୫୫ ଜଣଙ୍କ ଚିକିତ୍ସା ଚାଲିଛି।

You might also like