ମହାରାଷ୍ଟ୍ରରେ କମୁଛି ଓଡ଼ିଶାରେ ବଢ଼ୁଛି, ବିସ୍ଫୋରକ ହେଉଛି ଡବଲ ଭ୍ୟାରିଆଣ୍ଟ..

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଦିଲ୍ଲୀରେ କରୋନା ତାଣ୍ଡବ ଧିମା ପଡ଼ୁଥିବା ବେଳେ ଏବେ ଓଡ଼ିଶାରେ ବିସ୍ଫୋରକ ସ୍ଥିତି ଦେଖାଯାଇଛି । ମହାରାଷ୍ଟ୍ର ଭଳି ରାଜ୍ୟରେ ସଂକ୍ରମଣ କାବୁ ହୋଇସାରିଥିବା ବେଳେ ଓଡ଼ିଶାରେ କିନ୍ତୁ ନିୟନ୍ତ୍ରଣ ବାହାରେ ରହିଛି ସଂକ୍ରମଣ । ତେବେ କେବଳ ଓଡ଼ିଶା ନୁହେଁ, ଦେଶରେ ଏଭଳି ୧୬ଟି ରାଜ୍ୟରେ ସ୍ଥିତି ଚିନ୍ତାଜନକ ହେଲାଣି ।

ସେହି ରାଜ୍ୟଗୁଡ଼ିକ ହେଲା କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ, ଆସାମ, ଜାମ୍ମୁ ଓ କାଶ୍ମୀର, ଗୋଆ, ହିମାଚଳ ପ୍ରଦେଶ, ପୁଡୁଚେରୀ, ମଣିପୁର, ମେଘାଳୟ, ତ୍ରିପୁରା, ନାଗାଲ୍ୟାଣ୍ଡ ଓ ଅରୁଣାଚଳ ପ୍ରଦେଶ । ସେପଟେ ପୂର୍ବରୁ ବେକାବୁ ସ୍ଥିତି ଥିବା ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜରାଟ, ଛତିଶଗଡ଼ ସମେତ ପ୍ରାୟ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଦେଶର ସଂକ୍ରମଣ ହାର ୨୧% ଥିବା ବେଳେ ଓଡ଼ିଶାର ୨୪.୪ ପ୍ରତିଶତ ରହିଛି । ସେହିଭଳି ଦେଶର ୨୬ଟି ରାଜ୍ୟରେ ସଂକ୍ରମଣ ହାର ୧୫ ପ୍ରତିଶତରୁ ଅଧିକ ଥିବା ବେଳେ ୧୩ଟି ରାଜ୍ୟରେ ଏବେବି ୧ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ଅଛନ୍ତି ।

ସେପଟେ ଭାରତରେ ବ୍ୟାପୁଥିବା କୋଭିଡ୍-୧୯ର ଭାରିଆଣ୍ଟ୍ B.1.617କୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାକୁ ବିଶ୍ୱ ସ୍ତରରେ ଚିନ୍ତାଜନକ ଭାରିଆଣ୍ଟ୍ ଭାବେ ସୂଚିତ କରିଛି ଡବ୍ଲୁଏଚ୍ଓ । ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍ ଭାବେ ପରିଚିତ ଏହି ଭାରିଆଣ୍ଟକୁ ଗତ ବର୍ଷ ପ୍ରଥମ ଥର ପାଇଁ ଭାରତରେ ଠାବ କରାଯାଇଥିଲା । ଏହା ଖୁବ୍ ଶୀଘ୍ର ବ୍ୟାପୁଥିବା ଜଣାପଡିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭି଼ଡ୍‌ ମୁକାବିଲାର ନେତୃତ୍ୱ ନେଉଥିବା ମାରିଆ ଭାନ୍ କେରଖୋଭ୍ କହିଛନ୍ତି, B.1.617 ଭାରିଆଣ୍ଟ୍ ଅଧିକ ସଂକ୍ରାମକ ବୋଲି କିଛି ତଥ୍ୟରୁ ଜଣାପଡିଛି ।

ବର୍ତ୍ତମାନ ସ୍ଥିତିରେ ବିଶ୍ୱସ୍ତରରେ ଏହି ଭାରିଆଣ୍ଟକୁ ନେଇ ସବୁଠି ଚିନ୍ତା ବଢ଼ିଯାଇଛି । ତେବେ ଅଳ୍ପ କିଛି ନମୂନା ପରୀକ୍ଷାରୁ ଏହି ଭାରିଆଣ୍ଟ ଉପରେ ଶରୀରରେ ଥିବା ଆଣ୍ଟିବଡି ସେତେଟା ପ୍ରଭାବ ପକାଇ ପାରୁନଥିବା ସେ ସୂଚନା ଦେଇଛନ୍ତି । କିନ୍ତୁ ଟିକା ଉପରେ ଏହାର ପ୍ରଭାବ ସମ୍ପର୍କରେ ଏବେଠୁ କହିବା ଠିକ୍ ହେବ ନାହିଁ ବୋଲି ଡବ୍ଲୁଏଚ୍ଓ ପକ୍ଷରୁ କୁହାଯାଇଛି । ବର୍ତ୍ତମାନର ତଥ୍ୟ ଅନୁସାରେ କୋଭିଡ୍ ଟିକା ମହାମାରୀକୁ ରୋକିବା ଓ ମୃତ୍ୟୁ ହାରକୁ କମାଇବାରେ ପ୍ରଭାବଶାଳୀ ରହିଛି ବୋଲି କୁହାଯାଇଛି। ମାରିଆ ଭେନ୍ କେରଖୋଭ୍, ଟେକ୍ନିକାଲ୍ ଲିଡ୍, କୋଭିଡ୍-୧୯, ଡବ୍ଲୁଏଚ୍ଓ ଡାକ୍ତର ରୋଡେରିକୋ ଏଚ୍ ଓଫ୍ରିନ୍, ଭାରତରେ ଅବସ୍ଥାପିତ ଡବ୍ଲୁଏଚ୍ଓ ପ୍ରତିନିଧି ଏନେଇ ସୂଚନା ଦେଇଛନ୍ତି ।

ତେବେ ପୂର୍ବରୁ ଆଇସିଏମ୍ଆର୍ ମଧ୍ୟ ସ୍ପଷ୍ଟ କରିସାରିଛି ଯେ, ସ୍ୱଦେଶୀ ଟିକା କୋଭାକ୍ସିନ ଏହି ଡବଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟକୁ ରୋକିବାରେ ସଫଳ ହେଉଛି । ଦେଶରେ ଆଜି ବି ୩ ଲକ୍ଷରୁ ଅଧିକ ଟ୍ରେଣ୍ଡରେ ସୀମିତ ରହିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୩ ଲକ୍ଷ ୨୯ ହଜାର ୯୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୩ ହଜାର ୮ ଶହ ୭୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୬ ଲକ୍ଷ ୬୨ ହଜାର ୫୭୫ ଏବଂ ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୯ ହଜାର ୯ ଶହ ୯୨କୁ ବୃଦ୍ଧି ପାଇଛି ।

You might also like