ଦେଶରେ ୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ:ଦେଶରେ କରୋନା ମୃତ୍ୟୁସଂଖ୍ୟା ଶହେ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ଘାତକ ମହାମାରୀ ଏଯାଏଁ ୧୧୧ ଜଣଙ୍କ ମୁଣ୍ଡ ନେଲାଣି । କେବଳ ଗତକାଲି ୩୦ ଜଣଙ୍କ ଜୀବନ ଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୭୦୪ଟି ନୂଆ  ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨୮୧ର ପହଞ୍ଚିଛି।

କରୋନା ସଂକ୍ରମଣରୁ ସୁସ୍ଥ ହୋଇ ୩୧୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କେରଳ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି । ମହାରାଷ୍ଟ୍ରରେ ସର୍ବାଧିକ ୭୪୮ ଜଣ ଆକ୍ରାନ୍ତ ହୋଇଥିବାବେଳେ   ୪୫ ଜଣଙ୍କର ମୃତ୍ୟୁ ଘଟିଛି ।  ଗୁଜରାଟରେ ୧୪୪ ଆକ୍ରାନ୍ତଙ୍କ ହୋଇଛନ୍ତି ଏବଂ  ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ୫୨୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମଣ ମଧ୍ୟରୁ ୧୪୪୫ ଜଣଙ୍କ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭା ସହ ଲିଙ୍କ ରହିଥିବା ସୂଚନା ମିଳିଛି ।

ସେହିଭଳି ୨୫ ହଜାରରୁ ଅଧିକ ତବଲିଗି ଜମାତର ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କୋଭଡି-୧୯ ମୁକାବିଲା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରାଜ୍ୟମାନଙ୍କୁ ଅତିରିକ୍ତ ୩ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସେପଟେ ୫ ଲକ୍ଷ ଟେଷ୍ଟିଂ କିଟ୍ ପାଇଁ ଅର୍ଡର ଦିଆଯାଇଛି । ଏପ୍ରିଲ ୮-୯ ଭିତରେ ଅଢେଇ ଲକ୍ଷ କିଟ୍ ଆସି ପହଞ୍ଚିବ ବୋଲି ICMR ଉପନିର୍ଦ୍ଦେଶକ କହିଛନ୍ତି ।

You might also like