ଆମେରିକା: ଗୋଟିଏ ଦିନରେ ଗଲା ୧୪୩୩ ଜୀବନ

ୱାଶିଂଟନ: ଆମେରିକାରେ କରୋନା ସ୍ଥିତି ଜଟିଳ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୩୩ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ଧରି ଏଠାରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ ଅଧିକ ଥିଲା। ଗତ କାଲିର ମୃତ୍ୟୁ ସଂଖ୍ୟା ଯଦିଓ ସାମାନ୍ୟ କମ୍‌ ଅଛି ତଥାପି ଆମେରିକା ସ୍ଥିତିରେ ଯେ ସୁଧାର ଆସିନି ତାହା ସ୍ପଷ୍ଟ ହେଉଛି।

କରୋନା ଯୋଗୁ ଆମେରିକାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି ଓ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୮୪,୦୦୦ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଛି । ରବିବାର ଆମେରିକାରେ ୧୯୯୭ ଜଣଙ୍କ ମୃତ୍ୟୁ ଘଟିଥିଲା।

ଆମେରିକାର ନ୍ୟୁୱର୍କ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦ ହଜାର ଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ପାର ହୋଇ ଯାଇଛି। ଗତ ୨୪ ଘଣ୍ଟାରେ ଏଠାରେ ୪୭୮ ଜଣ ଲୋକ ପ୍ରାଣ ହରାଇଛନ୍ତି।

ସୂଚନାଥାଉ କି, ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା   ୧ ଲକ୍ଷ ୭୦ ହଜାର ଟପିଥିବାବେଳେ ଏହା ୨୧୦ ଦେଶରେ କାୟା ବିସ୍ତାର କରି ସାରିଲାଣି। ଏ ମହାମାରୀରେ ୨୪ ଲକ୍ଷ ୮୧ ହଜାର ଲୋକ ଆକ୍ରାନ୍ତ ହେଲେଣି । ଆମେରିକା ପରେ  ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଦେଶ ହେଉଛି  ସ୍ପେନ। ଏଠାରେ ୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାର ୮ ଶହ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୧ ହଜାର ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୪ ହଜାର ଡେଇଁଛି। ଫ୍ରାନସ୍ ଓ ବ୍ରିଟେନରେ ମଧ୍ୟ ଦୈନିକ ମୃତ ଓ  ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢି ଚାଲିଛି।

You might also like