କରୋନା ଅପ୍‌ଡେଟ୍: ଦେଶ ଓ ବିଶ୍ୱରେ କରୋନା ସ୍ଥିତି ଏବେ ଏମିତି

ନୂଆଦିଲ୍ଲୀ: କରୋନା ଭାଇରସରେ ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୧ଲକ୍ଷ ୩୫ ହଜାରରୁ ଅଧିକ ଲୋକ। କେବଳ ଗତ ୨୪ ଘଣ୍ଟା ଭିତରେ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି।

୨୧୦ ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ଆଜି ସୁଦ୍ଧା ପ୍ରାୟ ୨୧ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି।

ସର୍ବାଧିକ ପ୍ରଭାବିତ ଆମେରିକାରେ ୨୮ ହଜାର ୫୫୪ ଜଣଙ୍କ ମୁଣ୍ଡ ଗଡ଼ିଲାଣି। ଆମେରିକାରେ ୬ଲକ୍ଷ ୪୪ ହଜାରରୁ ଅଧିକ ଲୋକ କୋଭିଡ୍ ୧୯ରେ ଆକ୍ରାନ୍ତ ହୋଇଛନ୍ତି।

କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି ଇଟାଲୀରେ। ଏଠାରେ ୨୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷ ୬୫ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ସ୍ପେନରେ ୧ ଲକ୍ଷ ୮୨ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା।

ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୩୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪୨୦କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୭୫୯ ଛୁଇଁଛି।

ଭଲ ଖବର କ୍ରମେ, ଏଯାଏଁ ୧୫୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩୨୫ ଜିଲ୍ଲାରେ ଜଣେ ବି କରୋନା କେସ୍ ଚିହ୍ନଟ ହୋଇନଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ୍।

You might also like