କରୋନା: ଦେଶରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଲା, ଦିନକରେ ୭୫ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ରବିବାର ଜନତା କର୍ଫ୍ୟୁକୁ ମାନିବା ପରେ ସୋମବାର ଘରେ ରହିବାକୁ ଯେମିତି ଲୋକେ ପ୍ରସ୍ତୁତ ନ ଥିଲେ। ସୋମବାର ଅଧିକାଂଶ ଲୋକ ଘରୁ ବାହାରି ଆସିଥିଲେ। ରାସ୍ତାଘାଟ ଥିଲା ଚଳଚଞ୍ଚଳ। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବେଗ ପ୍ରକାଶ କରିବା ସହ ଲକ୍ଡାଉନ୍ କଡାକଡି ପାଳନ କରିବାକୁ ନିବେଦନ କରିଥିଲେ। ଏଥିସହ ରାଜ୍ୟ ସରକାରମାନେ ମଧ୍ୟ କଡା ପଦକ୍ଷେପ ନେଇଥିଲେ। ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ପରିସ୍ଥିତିକୁ ଦେଖି କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଲାଗି ରାଜଧାନୀ ଦିଲ୍ଲୀ ସମେତ ୩୦ଟି ରାଜ୍ୟ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ମୋଟ ୫୪୮ଟି ଜିଲ୍ଲାରେ ଲକ୍ଡାଉନ୍ କରାଯାଇଛି । ଏଥିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୮୦ଟି ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ।
କେବଳ ମିଜୋରାମ ଓ ସିକ୍କିମ ଲକ୍ଡାଉନରୁ ବାଦ୍ ଅଛନ୍ତି । ଏଥିସହ ସୀମାନ୍ତବର୍ତ୍ତୀ ସମସ୍ତ ୧୦୭ ଚେକ୍ ପୋଷ୍ଟରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ବିମାନବନ୍ଦର, ରେଳ ଷ୍ଟେସନ୍, ସାମୁଦ୍ରିକ ବନ୍ଦର, ନଦୀ ପଥ ଓ ସ୍ଥଳଭାଗ ସୀମାରେ ଥିବା ଦେଶର ସମସ୍ତ ଇମିଗ୍ରେସନ୍ ଚେକ୍ ପୋଷ୍ଟ ବନ୍ଦ କରି ଦିଆଯାଇଛି । ଅନ୍ୟପଟେ ପଞ୍ଜାବ, ମହାରାଷ୍ଟ୍ର ଓ ଚଣ୍ଡିଗଡ଼ରେ କର୍ଫ୍ୟୁ ଲାଗୁ କରାଯାଇଛି। ଅନେକ ରାଜ୍ୟ ସେମାନଙ୍କ ସୀମା ସିଲ୍ କରିଦେଇଛନ୍ତି।
ଅନ୍ୟପକ୍ଷେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ହିମାଚଳପ୍ରଦେଶରେ ଜଣେ ଆମେରିକା ଫେରନ୍ତା ତିବ୍ବତୀୟଙ୍କୁ ମିଶାଇ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସୋମବାର ୭୫ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି ପାଇଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ରିପୋର୍ଟ ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।