ପୁଣି ଥରେ ଟେନସନ୍ ଦେବ କି କରୋନା?
ପୁଣି କାୟା ବିସ୍ତାର କରୁଛି କରୋନା
- ପୁଣି କାୟା ବିସ୍ତାର କରୁଛି କରୋନା
- ଦେଶରେ ଦିନକରେ ୩୫ ହଜାରରୁ ଅଧିକ ପଜିଟିଭ
- ରାଜ୍ୟରେ ଆଜି ୮୪ ଆକ୍ରାନ୍ତ ଚିହ୍ନଟ
- ୧୨ ଛାତ୍ରଛାତ୍ରୀ ଆକ୍ରାନ୍ତ ପରେ କଟକର ଏକ କଲେଜ ବନ୍ଦ
- ବ୍ରହ୍ମପୁରରେ ଏକ କମ୍ପାନିର ୨ କର୍ମଚାରୀ ବି ପଜିଟିଭ
ଭୁବନେଶ୍ୱର: ପୁଣି କାୟା ମେଲାଉଛି କରୋନା। ମହାରାଷ୍ଟ୍ରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଗୋଟିଏ ଦିନରେ ଏଠାରେ ୨୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଦବେଗ ପ୍ରକାଶ ପାଇଛି। ସେପଟେ ମୁମ୍ବାଇ ସମେତ ସୁରତ ଓ ଅନ୍ୟ ସହରରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ବି ସତର୍କତା ବଢିଛି। ଏପଟେ କଟକର ଏକ ଘରୋଇ କଲେଜର ୧୨ ଛାତ୍ରଛାତ୍ରୀ ଏବଂ ବ୍ରହ୍ମପୁରରେ ଟାଟା ପାଓ୍ୱାରର ଦୁଇ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଛି।
ଦେଶରେ ଆସିଲା କି କରୋନାର ଦ୍ୱିତୀୟ ଲହର? ମହାରାଷ୍ଟ୍ରରେ ମହାମାରୀ ଯେଭଳି କାୟାବିସ୍ତାର କରିବାରେ ଲାଗିଛି ସେଥିରୁ ଏହି ଆଶଙ୍କା ଦୃଢିଭୂତ ହେଉଛି। ସପ୍ତାହେ ହେଲା ଦୈନିକ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ପ୍ରଥମ ଥର ଲାଗି ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୮୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ଭିତରେ ମହାମାରୀ ୧୭୨ ଜଣଙ୍କ ଜୀବନ ବି ନେଇଛି, ଯାହାକି ଗତ ୨ ମାସରେ ସର୍ବାଧିକ।
ରାଜ୍ୟମାନଙ୍କ ଭିତରେ ମହାରାଷ୍ଟ୍ର ସ୍ଥିତି ଜଟିଳରୁ ଜଟିଳ ହେବାରେ ଲାଗିଛି। ଦିନକରେ ୨୩ ହଜାର ୧୭୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶର ମୋଟ ଆକ୍ଟିଭ କେସର ୬୦ ପ୍ରତିଶତ କେବଳ ମହାରାଷ୍ଟ୍ରରେ ଅଛନ୍ତି ବୋଲି ସୂଚନା ମିଳିଛି। ଗତ ଫେବ୍ରୁଆରୀ ୯ରେ ଦେଶରେ ଦୈନିକ କରୋନା ସଂକ୍ରମଣ ସର୍ବନିମ୍ନ ଥିଲା। ତେବେ ଏହା ଭିତରେ ସଂକ୍ରମଣ ସଂଖ୍ୟା ୪୩ ପ୍ରତିଶତ ବଢ଼ିଛି। ସେହିପରି ଗଲା ୧୫ ଦିନରେ ୧୬ଟି ରାଜ୍ୟର ୭୦ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଶହ ପ୍ରତିଶତ ବୃଦ୍ଧି ପାଇଛି। ମୃତ୍ୟୁସଂଖ୍ୟା ବି ୩୭ ପ୍ରତିଶତ ବଢିଛି।
ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଆଗକୁ କଣ ହେବ କହି ହେଉନି। ଆଜି ୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନାରେ କାହାରି ମୃତ୍ୟୁ ହୋଇନି। ଅନ୍ୟପକ୍ଷରେ କଟକର ଏକ ଘରୋଇ କଲେଜର ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ବଢିଛି। କଲେଜକୁ ୧୦ ଦିନ ବନ୍ଦ କରାଯିବା ସହ ଅଧ୍ୟାପକ ଓ କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣଙ୍କର ନମୁନା ବି ସଂଗ୍ରହ କରାଯାଇଛିା ସେପଟେ ବ୍ରହ୍ମପୁରର ଟାଟା ପାୱାର କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁରତ ସମେତ ଅନ୍ୟାନ୍ୟ ସହରରେ ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଷ୍ଟେସନରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି।
ତେଣେ କରୋନା ଋତୁକାଳୀନ ରୋଗରେ ପରିଣତ ହୋଇପାରେ ବୋଲି ସତର୍କ କରାଇଛି ମିଳିତ ଜାତିସଂଘ। ଜାତିସଂଘର ୧୬ ଜଣିଆ ରିସର୍ଚ୍ଚ ଟିମ୍ ପକ୍ଷରୁ ଏନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। କରୋନା ଭୂତାଣୁ ଦୀର୍ଘ ସମୟ ଧରି ରହିଲେ ଏହା ଋତୁକାଳୀନ ରୋଗରେ ପରିଣତ ହେବା ନେଇ ଆଶଙ୍କା କରିଛନ୍ତି ଗବେଷକ।
#କାୟା_ମେଲାଉଛି_କରୋନା
ମହାରାଷ୍ଟ୍ରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଗୋଟିଏ ଦିନରେ ଏଠାରେ ୨୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଦବେଗ। ସେପଟେ ମୁମ୍ବାଇ ସମେତ ସୁରଟ ଓ ଅନ୍ୟ ସହରରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ବି ସତର୍କତା #Coronavirus #Covid19 #CoronaUpdate #Odisha pic.twitter.com/9gkxoUtb4w— ଓଟିଭି (@otvkhabar) March 18, 2021
ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା, କଟକରୁ ଦେବାଶିଷ ମହାନ୍ତି ଓ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ