ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ୩୧ ଓ କେରଳରେ ୧୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କରୋନା ଭୂତାଣୁ ସଂକ୍ରମଣରେ କର୍ଣ୍ଣାଟକର କାଲାବୁର୍ଗୀରେ ଜଣେ ୭୬ ବର୍ଷୀୟ ବ୍ୟକ୍ତି ଓ ଦିଲ୍ଲୀରେ ଜଣେ ମହିଳାଙ୍କୁ ମିଶାଇ ମୋଟ୍ ୨ ଜଣ ପ୍ରାଣ ହରାଇଥିବାବେଳେ ୧୧ ଜଣ ସୁସ୍ଥ ହୋଇଛନ୍ତି ।

ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ଆଜି ତେଲେଙ୍ଗାନା ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ମେଳା ମହୋତ୍ସବ, ଧାରଣା, ବିକ୍ଷୋଭ, ଷ୍ଟାଡିଅମ, ପବ୍, ବାର୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଧାରା ୫୪ ଅନୁଯାୟୀ କୋବିଡ୍-୧୯ ସଂକ୍ରମଣକୁ ବିପର୍ଯ୍ୟୟ ଭାବେ ଗ୍ରହଣ କରି ଏହାର ମୁକାବିଲା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିପରି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସମସ୍ତ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ବନ୍ଦ ଘୋଷଣା କରାଯାଇଛି । ଏହି ଦ୍ୱୀପଗୁଡ଼ିକୁ ଭ୍ରମଣରୁ ବିରତ ରହିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୁପ ଆନ୍ଧ୍ରପ୍ରଦେଶର ନଗର ନିଗମ ଏବଂ ପୌରପାଳିକା ନିିର୍ବାଚନକୁ ସ୍ଥଗିତ ରଖାଯାଇଛି।

ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ସମସ୍ତ ଇଟାଲୀ ଫେରନ୍ତାଙ୍କୁ ଆଇଟିବିପର କ୍ୟାରାଣ୍ଟାଇନ କ୍ୟାମ୍ପକୁ ନିଆଯାଇଛି । ଦିଲ୍ଲୀ ପୋଲିସର ୨ଟି ଟ୍ରେନିଂ କ୍ୟାମ୍ପ ଝାରୋଡା କଲନ ଓ ଓ୍ୱାଜିରାବାଦକୁ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି ।

You might also like