ତୃତୀୟ ଲହରରେ କେଉଁଠୁ ଆସିବ ମ୍ୟାନ୍ ପାୱାର ? କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କରୋନାର ଦ୍ଵିତୀୟ ଲହର ସାରା ଦେଶରେ ତାଣ୍ଡବ ରଚିଥିବା ବେଳେ ତୃତୀୟ ଲହର ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଜି ଦିଲ୍ଲୀରେ ଅକ୍ସିଜେନ ଅଭାବ ସମ୍ପର୍କରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଜଧାନୀ ଦିଲ୍ଲୀ ପାଇଁ ପ୍ରତିଦିନ ୬୦୦ ମେଟ୍ରିକ ଟନ ଅକ୍ସିଜେନ୍ ଯୋଗାଇବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତୃତୀୟ ଲହରର ଭୟାବହତା ସମ୍ପର୍କରେ ଆଶଙ୍କା କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ ।

ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲେ ତୃତୀୟ ଲହରକୁ ସହଜରେ ରୋକାଯାଇ ପାରିବ । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ କହିଛନ୍ତି, ଘରେ ଚକିତ୍ସିତ ହୋଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଅକ୍ସିଜେନର ଆବଶ୍ୟକତା ରହିଛି । କେନ୍ଦ୍ରର ଅକ୍ସିଜେନ ଆବଣ୍ଟନ କରିବାର ଫର୍ମୁଲା ପୂରା ଭୁଲ ରହିଛି । ଏବେ ସମୟ ଆସିଛି ସାରା ଦେଶବାସୀଙ୍କ ବିଷୟରେ ଚିନ୍ତା କରିବାକୁ ପଡ଼ିବ । ଆଜି ଠାରୁ ପ୍ରସ୍ତୁତି ଆରମ୍ଭ କଲେ ହିଁ ତୃତୀୟ ଲହର ଆସିଲେ ତାହାର ସାମ୍ନା କରାଯାଇ ପାରିବ ।

ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛ ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ଶିଶୁ ମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ଆସେ, ତାହଲେ କିପରି ନିୟନ୍ତ୍ରଣ କରିପାରିବା ସେନେଇ ବ୍ୟବସ୍ଥା କରିବାକୁ ପଡିବ । ତେଣୁ ସେମାନଙ୍କ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ଦ୍ଵିତୀୟ ଲହରରେ ଚିକିତ୍ସା  ପାଇଁ ମ୍ୟାନ ପାୱାରର ଅଭାବ ରହିଛି । ଅନ୍ୟପଟେ ତୃତୀୟ ଲହରରେ ଏହି ସଙ୍କଟ ଆହୁରି ବଢ଼ିଯିବ । ଏଥିପାଇଁ ଆଗରୁ ପ୍ରସ୍ତୁତି କରିବାକୁ ପଡ଼ିବ ।

ତୃତୀୟ ଲହରରେ ଡାକ୍ତର ଓ ନର୍ସ କାମ କରି କରି ଥକି ସାରିଥିବେ । ସେତେବେଳେ କ’ଣ କରାଯିବ ? ମାର୍ଚ୍ଚ ୨୦୨୦ ଠାରୁ  ଦିନ ରାତି ଏକ କରି କାମ କରୁଥିବା କରୋନା ଯୋଦ୍ଧାମାନଙ୍କ ଉପରେ ଏବେ ଚାପ ଅଧିକ ରହିଛି । ସେମାନଙ୍କୁ ବର୍ତ୍ତମାନ ବିଶ୍ରାମ ଦରକାର । ଏଥିପାଇଁ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦେଢ଼ ଲକ୍ଷ ଡାକ୍ତରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ଦରକାର । ସେହିପରି ପାଖାପାଖି ଅଢେଲ ଲକ୍ଷ ନର୍ସ ଘରେ ଅଛନ୍ତି, ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ ସେମାନଙ୍କ ସାହାଯ୍ୟ ଜରୁରୀ ହୋଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନିଆଯାଇ ପାରିବ ବୋଲି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି କୋର୍ଟ । 

You might also like