କରୋନା ସ୍ଥିତି ସଙ୍ଗୀନ, ଶବ ପୋଡ଼ିବାକୁ ବି ଶ୍ମଶାନରେ ମିଳୁନାହିଁ ସ୍ଥାନ

ହୁ ହୁ ବଢୁଛି କରୋନା

  • ଦେଶରେ କରୋନା ଦ୍ୱିତୀୟ ଲହରର ସୁନାମି
  • ଦିନକରେ ୧ଲକ୍ଷ ୬୮ ହଜାରରୁ ଅଧିକ ସଂକ୍ରମିତ
  • ମହାରାଷ୍ଟ୍ର ସ୍ଥିତି ସଂଗୀନ, ୧୫ ଦିନିଆ ଲକଡାଉନ୍‌ ପାଇଁ ସରକାରଙ୍କ ସଜବାଜ

ନୂଆଦିଲ୍ଲୀ: ତୀବ୍ର ଗତିରେ ଶକ୍ତି ଗୋଟାଉଛି କରୋନାର ଦ୍ୱିତୀୟ ଲହର। ପ୍ରଥମ ଲହରଠୁ ଆହୁରି ଭୟାନକ ରୂପ ଧାରଣ କରି ବ୍ୟାପିବାରେ ଲାଗିଛି ସଂକ୍ରମଣ। ମହାରାଷ୍ଟ୍ରରେ ତ ସଂକ୍ରମଣ ବିସ୍ଫୋରକ ରୂପ ନେଉଥିବାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ପାଇଁ ଚିନ୍ତା କରୁଛନ୍ତି ସେଠାକାର ସରକାର। ଏହାସହିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର। ଦିଲ୍ଲୀରେ ବି ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ତେଣେ ଛତିଶଗ଼ଡରେ କରୋନାରେ ମୃତ୍ୟୁ ସଂଖ୍ୟା ବଢିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ଶ୍ମଶାନଗୁଡ଼ିକରେ, ଯେଉଁଠି ଯୁଇ ଜମା ଲିଭୁନାହିଁ।

ହୃଦୟ ବିଦାରକ ଛାତି ଫାଟିଲା ଭଳି, ମନକୁ ବିଚଳିତ କରିବା ଭଳି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ଦୁର୍ଗର ଏକ ଶ୍ମଶାନର। ଏକା ସାଙ୍ଗରେ ଦାହ ହେଉଛି ବହୁ ସଂଖ୍ୟାରେ ମୃତଦେହ। ଗତ କିଛି ଦିନ ହେବ ଲିଭୁନି ଏହି ମୁକ୍ତିଧାମର ଜୁଇ। ପ୍ରତିଦିନ ଏଠାରେ ଦାହ ହେଉଛି ୫୦ରୁ ୬୦ ମୃତଦେହ। କେବଳ ଏତିକି ନୁହେଁ ବରଂ ଛତିଶଗଡ଼ର ଅନେକ ସ୍ଥାନରେ ଟ୍ରକରେ ମୃତଦେହଗୁଡିକୁ ଶ୍ମଶାନକୁ ଅଣାଯାଉଛି। କେବଳ ଦୁର୍ଗ ନୁହେଁ ଛତିଶଗଡ଼ର ବିଭିନ୍ନ ଶ୍ମଶାନର ସ୍ଥିତି ଏମିତି ହେଲାଣି। ରାଜ୍ୟରେ ଦିନକୁ ଦିନ କରୋନାର ବଢୁଥିବା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଆଉ ଏଥିଯୋଗୁଁ ବିଭିନ୍ନ ଶ୍ମଶାନରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। କେବଳ ଗତକାଲି ଛତିଶଗଡ଼ରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାର ୫୨୧ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସରକାରୀ ଭାବେ ମହାମାରୀରେ ଛତିଶଗଡ଼ରେ ୪ ହଜାର ୮୯୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ଟିଭ କେଶ୍ ସଂଖ୍ୟା ୯୦, ୨୭୭ରେ ପହଞ୍ଚିଛି।

ଅନ୍ୟପକ୍ଷରେ କରୋନା ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରରେ ସଂକ୍ରମଣ ବିସ୍ଫୋରକ ରୂପ ନେଲାଣି। ରାଜ୍ୟରେ ଗତ ୨୪ ଘଣ୍ଟାରେ ପ୍ରାୟ ୬୩ ହଜାର ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ୩୪୯ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ମୁମ୍ବାଇରେ ଦିନକରେ ୯ ହଜାର ୨୦୦ ଲୋକ ସଂକ୍ରମିତ ହୋଇଛନ୍ତି। ପରିସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ସପୂର୍ଣ୍ଣ ରାଜ୍ୟରେ ଲକ୍ଡାଉନ୍ ପାଇଁ ପ୍ରସ୍ତୁତ ହେଲେଣି ରାଜ୍ୟ ସରକାର। ସେହିପରି ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ର ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଏଣେ ରାଜଧାନୀ ଦିଲ୍ଲୀରେ ବି ସ୍ଥିତି ଅସମ୍ଭାଳ ହେଲାଣି।

ପ୍ରଥମ ଥର ପାଇଁ ୧୦ ହଜାର ପାର କରିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଦିଲ୍ଲୀରେ ଏହା କରୋନାର ଚତୁର୍ଥ ଲହର ଚାଲିଥିବା କୁହାଯାଉଛି। ସୁପ୍ରିମକୋର୍ଟରେ ବି ପଡିଛି ଏହି ସଂକ୍ରମଣର ପ୍ରଭାବ। ସର୍ବୋଚ୍ଚ ନ୍ୟାୟାଳୟର ଅନେକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛିି। ଟେଷ୍ଟ କରିଥିବା ୯୦ କର୍ମଚାରୀଙ୍କ ମଧ୍ୟରୁ ୪୪ ଜଣଙ୍କ ନମୁନା ପଜିଟିଭ୍ ଆସିଛି। ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରା ସୁପ୍ରିମକୋର୍ଟ ପରିସରକୁ ସାନିଟାଇଜ୍ କରାଯାଇଛି। ଭିଡିଓ କନ୍ଫରେନ୍ସିଂରେ ନିଜ ନିଜ ଘରୁ ଶୁଣାଣି କରିଛନ୍ତି ବିଚାରପତି।

ଦ୍ୱିତୀୟ ଲହରରେ ଭୟଙ୍କର ରୂପ ଦେଖାଇଲାଣି। କୋଭିଡ୍ ମହାମାରୀ ଦୁଇ ମାସ ତଳେ ଅର୍ଥାତ ଫେବ୍ରୁୟାରୀ ୧୨ରେ ଦେଶରେ ଦୈନିକ ସଂକ୍ରମଣ ୯ ହଜାର ୩୦୯ ଥିବା ବେଳେ, ଏପ୍ରିଲ ୧୨ ସୁଦ୍ଧା ଏହା ଲମ୍ବା ଡିଆଁମାରି ପହଞ୍ଚିଲାଣି ୧ ଲକ୍ଷ ୬୮ ହଜାର ୯୧୨ରେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଆକ୍ରାନ୍ତ, ୧୦ ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ଲୋକମାନେ ଯଦି ସରକାରଙ୍କ କରୋନା କଟକଣା ଆଉ ସଚେତନ ନହୁଅନ୍ତି ତେବେ ସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି।

 

You might also like