କରୋନାର ଭୟଙ୍କର ଚିତ୍ର। ଶ୍ମଶାନରେ ଦାହ ହୋଇପାରୁନାହିଁ ଶବ, ବାଧ୍ୟ ହୋଇ ଘରେ ଫ୍ରୀଜରେ ମୃତ ଦେହ ରଖୁଛନ୍ତି ସମ୍ପର୍କୀୟ ଲୋକ

ଶବ ଦାହ ଲାଗି ଜାଗା ନାହିଁ

ରାୟପୁର: ‌ଭୟଙ୍କର ହେଲାଣି କରୋନା। କହିବାକୁ ଗଲେ କରୋନା ମହାମାରୀକୁ ଆୟତ୍ତ କରିବା ଲାଗି ଆଉ କୌଣସି ପନ୍ଥା ବି କାମ କରୁନାହିଁ। ସ୍ଥିତି ଏମିତି ହେଲାଣି ଯେ, କେତେବେଳେ କାହାକୁ ଗ୍ରାସ କରୁଛି କରୋନା ତାହାର କୌଣସି ସୂଚନା କାହା ପାଖରେ ନାହିଁ। ମହାମାରୀର ଜାଲରେ ଛନ୍ଦି ହୋଇ ପଡିଛି ପୂରା ବିଶ୍ୱ। କହିବାକୁ ଗଲେ କରୋନାର ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀ ଆହୁରି ମାରାତ୍ମକ ହୋଇଛି। ମହାମାରୀ ୧୦୦ ସ୍ପିଡ୍‌ରେ କାୟା ମେଲାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶର ଅନେକ ରାଜ୍ୟରେ ସ୍ଥିତି ଉଦବେଗଜନକ ରହିଛି। ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ ପରିସ୍ଥିତି ଅଣାୟତ ହେଲାଣି। ଆଉ ଆତଙ୍କର ଛାତିଥରା ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ।

ଦୁର୍ଗ ଅନ୍ତର୍ଗତ ଇସ୍ପାତ ସହର ଭିଲାଇରେ କରୋନାଜନିତ ମୃତ୍ୟୁ ବଢ଼ିଚାଲିଛି। ସେଠାକାର  ମୁକ୍ତିଧାମ ଶ୍ମଶାନରେ ଏକାବେଳକେ ଜଳୁଛି ୨୦ରୁ ଅଧିକ ଜୁଇ । ଏତେ ସଂଖ୍ୟକ ମୃତଦେହ ସତ୍କାର ପାଇଁ ଆସୁଛି ଯେ ଜାଗା ବି ମିଳୁନାହିଁ । ଜୁଇ ଜାଳିବାକୁ ସ୍ଥାନର ଅଭାବ ହେବାରୁ ସଂପର୍କୀୟ ଶବ ଫେରାଇ ନେଇ ଫ୍ରିଜରରେ ରଖିବାକୁ ବାଧ୍ୟ ହେଉଛନ୍ତି। ଆଉ ଅନେକ ସମୟରେ ଶବ ଦାହ କରିବାକୁ ନମ୍ବର ବି କରିବାକୁ ପଡୁଛି। ଗତ ୨୪ ଘଣ୍ଟାରେ ଏହି ସହରରେ ୧୦ ହଜାର ୫୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି । ମୁକ୍ତଧାମରେ ଏକାଥରେ ୨୦ରୁ ୩୦ ଶବ ପୋଡ଼ା ଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଠାରେ ଦିନକୁ ପ୍ରାୟ ୬୦ରୁ ଅଧିକ ଶବ ଦାହ କରାଯାଉଛି ।

ଏବେ ଠାରୁ ସତର୍କ ନ ହେଲେ ଆଗାମୀ ଦିନରେ ଓଡ଼ିଶାରେ ବି ଛତିଶଗଡ଼ ସ୍ଥିିତି ଆସିପାରେ ଏହି ଆଶଙ୍କା ଉପୁଜୁଛି । କାରଣ ଛତିଶଗଡ଼ର ସୀମା ଓଡ଼ିଶାର ପାଖାପାଖି ୧୦ଟି ଜିଲ୍ଲାକୁ ଛୁଇଁଛି । ଦେଶରେ ଏବେ ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ୧ ନମ୍ବରରେ ଥିବା ବେଳେ ଉତ୍ତର‌ପ୍ରଦେଶ ଦ୍ୱିତୀୟ ଓ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି। ସେପଟେ କରୋନା ଚେନ୍‌ ଭାଙ୍ଗିବାକୁ ସରକାର ବି ଜୋରଦାର ଉଦ୍ୟମ କରୁଛନ୍ତି। ଅନେକ ସ୍ଥାନରେ କଟକଣା ମଧ୍ୟ ଲଗାଇଛନ୍ତି। କିନ୍ତୁ କରୋନା କମିବାରେ ନା ନେଉନାହିଁ। ଦିନକୁ ଦିନ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରୁଛି। ଯଦି ସ୍ଥିତିରେ କୌଣସି ପରିବର୍ତ୍ତନ ନହୁଏ ତେବେ ଆଗାମୀ ଦିନରେ ଶବ ଦାହ କରିବାକୁ ମାସ ମାସ ଅପେକ୍ଷା କରିବାକୁ ଯେ ପଡିବନି ତାହାକୁ କେହି ଏଡ଼ାଇ ଦେଇପାରିବେ ନାହିଁ।

You might also like