ଦେଶରେ ବଢୁଛି କରୋନା: ନାଗପୁରକୁ ଫେରିଲା ଲକଡାଉନ

ଚିନ୍ତା ବଢାଉଛି ସଂକ୍ରମଣ

ନୂଆଦିଲ୍ଲୀ: WHO ପକ୍ଷରୁ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରାଯିବାକୁ ଆଜି ବର୍ଷେ ପୂରିଛି। ଭାରତରେ ସାମଗ୍ରିକ ଭାବେ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ, ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର ସମେତ ପ୍ରାୟ ୬ଟି ରାଜ୍ୟ। ନାଗପୁରରେ ଆସନ୍ତା ୧୫ରୁ ସପ୍ତାହେ ପାଇଁ ଲାଗୁ ହେଉଛି ଲକଡାଉନ। ସେପଟେ, ଜାତୀୟ ଗଣମାଧ୍ୟମରେ ସୂଚନା ଅନୁସାରେ, ଆଉ କିଛି ସପ୍ତାହ ପରେ ଦେଶରେ ଆରମ୍ଭ ହୋଇପାରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଅଭିଯାନ, ଯେଉଁଥିରେ ସାମିଲ ହେବେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି।

ମହାରାଷ୍ଟ୍ରରେ ଚିନ୍ତାଜନକ ରହିଛି କରୋନା ସ୍ଥିତି। ଉଦବେଗଜନକ ଭାବେ ବଢ଼ିଚାଲିଛି ସଂକ୍ରମଣ। ଏବେ ବି ସେଠାରେ ଚିକିତ୍ସାଧୀନ ଅଛନ୍ତି ୧ଲକ୍ଷରୁ ଅଧିକ କୋଭିଡ୍ ଆକ୍ରାନ୍ତ। ତେବେ ସଂକ୍ରମଣ ବଢ଼ିବା ପଛରେ କୌଣସି ଷ୍ଟ୍ରେନର ଭୂମିକା ନାହିଁ, ବରଂ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂ କମିବାରୁ ଏବଂ ଜନସମାଗମ ରୋକା ନଯିବାରୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଆଇସିଏମ୍ଆର ଡିଜି ବଳରାମ ଭାର୍ଗବ। ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ. ପଲ୍ ମଧ୍ୟ ଏହାକୁ ଏକ ଗମ୍ଭୀର ପ୍ରସଙ୍ଗ ବୋଲି କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ମହାରାଷ୍ଟ୍ର ସହ ମଧ୍ୟପ୍ରଦେଶ, ଗୁଜରାଟ ଓ ହରିୟାଣାରେ ମଧ୍ୟ ଚିନ୍ତାଜନକ ସ୍ଥିତି ରହିଛି। ସେପଟେ ମହାରାଷ୍ଟ୍ର ନାଗପୁରରେ ଦୈନିକ ସଂକ୍ରମଣ ସଂଖ୍ୟା ୧୭ ଶହ ଟପିବା ପରେ, ଆସନ୍ତା ୧୫ରୁ ୨୧ ତାରିଖ ଯାଏଁ ସହରକୁ ଲକଡାଉନ ଘୋଷଣା କରାଯାଇଛି। ଏ ଭିତରେ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୨୨, ୮୫୪ ନୂଆ ସଂକ୍ରମିତ, ଯାହାକି ଚଳିତ ବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ।

ଏବେ ସୁଦ୍ଧା ଦେଶରେ ୨ କୋଟି ୪୩ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆସରିଥିବା ବେଳେ, ଆଗକୁ ଆସୁଛି ୫୦ ବର୍ଷରୁ ଅଧିକ ବୟସ୍କଙ୍କ ପାଳି। ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ସାମିଲ କରିବାକୁ ଜାତୀୟ ବିଶେଷଜ୍ଞ ଦଳ ନେଗ୍ଭ୍ୟାକ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିବା ସୂଚନା ମିଳିଛି।

ତେବେ ଏହି ପର୍ଯ୍ୟାୟରେ ମଧ୍ୟ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରାଥମିକତା ଦେବାକୁ କୁହାଯାଇଛି। ଏପଟେ ଓଡ଼ିଶାରେ ଦିନକୁ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ଯୋଜନା କରିଛନ୍ତି ସରକାର। ଏଥିପାଇଁ ଜିଲ୍ଲାୱାରି ଟାର୍ଗେଟ୍ ସ୍ଥିର କରାଯାଇଛି।

ଏ ଭିତରେ ସାମ୍ନାକୁ ଆସିଛି ଆଉ କିଛି ଆଶ୍ୱସ୍ତିକର ଖବର। ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନ ବ୍ରିଟେନ୍ ସହ ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନକୁ ରୋକିବାରେ ସଫଳ ହୋଇପାରେ ବୋଲି ପ୍ରାଥମିକ ଗବେଷଣାରୁ ଜଣାପଡ଼ିଛି। ସେପଟେ ହାଇଦ୍ରାବାଦରେ ଆରମ୍ଭ ହୋଇଛି ଭାରତ ବାୟୋଟେକର ନାଜାଲ୍ ଭ୍ୟାକ୍ସିନ ଟ୍ରାଏଲ୍, ଯାହାକୁ ଇଞ୍ଜେକ୍ସନ ନୁହେଁ, ବରଂ ନାକପୁଡ଼ାରେ ସ୍ପ୍ରେ କରି ଦିଆଯାଉଛି।

ଭାରତ ପ୍ରାୟ ୧୫ଟି ଦେଶକୁ କରୋନା ଟିକା ପଠାଇସାରିଥିବା ବେଳେ, ଏହି ତାଲିକାରେ ସାମିଲ ହୋଇଛି ପାକିସ୍ତାନ। ଅନ୍ତର୍ଜାତୀୟ ଗାଭି ସନ୍ଧି ଅନୁସାରେ, ଭାରତ ପାକିସ୍ତାନକୁ ସାଢ଼େ ୪ କୋଟି ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇ ଦେବ। ସେପଟେ କାନାଡ଼ା ରାଜଧାନୀ ଟରୋଣ୍ଟୋରେ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିବା ବିଲ୍ ବୋର୍ଡ ଦେଖିବାକୁ ମିଳିଛି। କୋଭିଡ୍ ଭ୍ୟାକ୍ସିନ ଯୋଗାଇ ଦେଇଥିବାରୁ ଭାରତକୁ ଓ ମୋଦିଙ୍କୁ ଧନ୍ୟବାଦ ଜଣାଇଛି କାନାଡ଼ା।

You might also like