ମହାରାଷ୍ଟ୍ରରେ କରୋନା; ଗୋଟିଏ ଦିନରେ ୧୧ ମୃତ

ମୁମ୍ବାଇ: ଦେଶର ବାଣିଜ୍ୟିକ କ୍ୟାପିଟାଲ୍‌ରେ କାୟା ବିସ୍ତାର କରି ଚାଲିଛି କରୋନା। ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଭୟଙ୍କର ରୂପ ନେଇଛି। ଦେଶର ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର।  ଗତକାଲି ରାଜ୍ୟରେ ୩୫୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩୪ରେ ପହଞ୍ଚିଛି।

ଗତକାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି।  ରାଜ୍ୟରେ ଏବେ ଯାଏ ୧୬୦ ଜଣଙ୍କ ପ୍ରାଣ ନେଲାଣି ମାରାତ୍ମକ କରୋନା।

ସେହିଭଳି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ଗମ୍ଭୀର। ଗତକାଲି ଦିଲ୍ଲୀରେ ନୂଆ ୩୫୬ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହକୁ ପାର କରିଛି। ସେହିଭଳି ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

ଏହାଛଡ଼ା ରାଜସ୍ଥାନରେ ଗତକାଲି ୯୩ ନୂଆ ରୋଗୀ ଚିହ୍ନଟ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୯୭କୁ ପହଞ୍ଚିଛି। ସେହିପରି ତେଲେଙ୍ଗାନାରେ ଗୋଟିଏ ଦିନରେ ୬୧ ନୂଆ ରୋଗୀ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୪୭୨କୁ ପହଞ୍ଚିଛି। ତେଲେଙ୍ଗାନାରେ ଏବେ ଯାଏ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କରୋନା ଉତ୍ତରପୂର୍ବାଞ୍ଚଳର ଆଉ ଏକ ରାଜ୍ୟରେ ପହଞ୍ଚିଛି। ଗତକାଲି ମେଘାଳୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି॥  ଏହାପରେ ରାଜ୍ୟବାସୀଙ୍କୁ ବିଚଳିତ ନହେବାକୁ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମା ପରାମର୍ଶ ଦେଇଛନ୍ତି।

ଆଜି କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଲକ୍‌ ଡାଉନ ଅବଧି ଶେଷ ହେଉଥିବେଳେ କରୋନା ସ୍ଥିତିକୁ ଅନେକ ରାଜ୍ୟ ଆଗୁଆ ଲକ୍‌ଡାଉନ ଅବଧି ବଢାଇ ଦେଇଛନ୍ତି। ଏହି ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସମେତ  ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ତାମିଲନାଡୁ ସହ ମିଜୋରାମ, ଅରୁଣାଚଳ ପ୍ରଦେଶ, ପୁଡୁଚେରୀ ଆଦି ରାଜ୍ୟ ଅଛନ୍ତି।

You might also like