ସଟଡାଉନ୍‌, କର୍ଫ୍ୟୁ କଲେ ବି ଥମୁନି କରୋନା

ନୂଆଦିଲ୍ହୀ: ଦେଶରେ କରୋନାର ଦୃତ ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଦବେଗ। ୧୦ଟି ରାଜ୍ୟରେ ସ୍ଥିତି ଅତି ଗମ୍ଭୀର ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ। ସଂକ୍ରମଣ ଚେନ୍ ଭାାଙ୍ଗିବା ଲାଗି ଅନେକ ରାଜ୍ୟ ଲକଡାଉନ, ସଟଡାଉନ କିମ୍ବା , କର୍ଫ୍ୟୁ ଜାରି କରିଥିଲେ ମଧ୍ୟ ମହାମାରୀ ଥମିବାର ନାଁ ନେଉନି। ଏଣେ ସ୍ଥିତିର ମୁକାବିଲା ନେଇ ବ୍ରିଟେନ ଓ ଆମେରିକା ସମେତ ଅନ୍ୟାନ୍ୟ ଦେଶ ମେଡିକାଲ ସହାୟତା ପହଞ୍ଚିବାରେ ଲାଗିଛି। ଏପଟେ କାଲିଠାରୁ ତୃତୀୟ ପଯର୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ଅନେକ ରାଜ୍ୟ ସେନମାନଙ୍କ ପାଖରେ ଆବଶ୍ୟକ ଟୀକା ନଥିବା କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏପ୍ରିଲ ୨୨ ପ୍ରଥମ ଥର ଲାଗି ଦେଶରେ ୩ ଲକ୍ଷ ପାର୍ ହେଲା ଦୈନିକ କରୋନା ସଂକ୍ରମଣ।  ଆଉ ଏହାପରଠାରୁ ରେକର୍ଡ ପରେ ରେକର୍ଡ କରି ଚାଲିଛି ପଜିଟିଭ୍ ସଂଖ୍ୟା। ସପ୍ତାହେ ହେଲା ଉପରମୁହାଁ ହୋଇ ରହୁଛି ଏହାର ଗ୍ରାଫ୍। ୩ ଲକ୍ଷ ତଳକୁ ଖସୁନି ଡେଲି କରୋନା କେସ୍। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩ ଲକ୍ଷ ୮୬ ହଜାର ୪୫୨ ନୂଆ ପଜିଟିଭ୍। ଖାଲି ପଜିଟିଭ୍ ନୁହଁ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଦୈନିକ ରେକର୍ଡ କରୁଛି ମହାମାରୀ।  ଆଜି ସର୍ବାଧିକ ୩ ହଜାର ୪୯୮ ଜଣଙ୍କ ଜୀବନ ନେଇଛି କୋଭିଡ ୧୯ ଭାଇରସ୍।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ଏବେ ୩୧ ଲକ୍ଷ ୭୦ ହଜାର ୨୨୮ ଆକ୍ଟିଭ କେସ୍ ରହିଛି। ଆଉ ଏହା ମୋଟ୍ ମାମଲାର ୧୬.୯୦ ପ୍ରତିଶତ। ତେବେ ଦେଶର ୧୦ଟି ରାଜ୍ୟରେ ଦ୍ରୁତ ଗତିରେ ବଢୁଥିବା ସକ୍ରିୟ ମାମଲାକୁ ନେଇ ଉଦବେଗ ପ୍ରକାଶ କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ଏଣେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ କଟକଣା ଆହୁରି କଡାକଡି ହୋଇଛି। ଦେଶର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ର ସଂଲଗ୍ନ ରାଜ୍ୟ ହୋଇଥିବାରୁ, ଗୋଆରେ ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇଛି ତାଲାବନ୍ଦ କଟକଣା। ମେ ୩ ସକାଳ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ। ତେଣେ ମହାରାଷ୍ଟ୍ରରେ ଏପ୍ରିଲ ୩୦ଯାଏଁ ଲାଗୁ ହୋଇଥିବା କୋଭିଡ୍ କଟକଣାକୁ ଆସନ୍ତା ମାସ ୧୫ ତାରିଖ ଯାଏ ବଢାଇଛନ୍ତି ଉଦ୍ଧବ ସରକାର।

ଉତ୍ତରପ୍ରଦେଶରେ ସପ୍ତାହାନ୍ତ ଲକଡାଉନର ସମୟ ସୀମାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଲକଡାଉନ ଅବଧି ଶୁକ୍ରବାର ରାତି ୮ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୭ଟାରେ ଶେଷ ହେଉଥିଲା। ତେବେ ଏହି ଅବଧିକୁ ୨୪ ଘଣ୍ଟା ବୃଦ୍ଧି କରି ସୋମବାର ଯାଏଁ କଟକଣା ଲାଗୁ କରିଛନ୍ତି ଯୋଗୀ ସରକାର। ଦିଲ୍ଲୀରେ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦେଖି ବ୍ୟବସ୍ୟାୟୀ ମହାସଂଘ ଲକ୍ଡାଉନକୁ ବଢାଇବାକୁ ଦାବି କରିଛି। କରୋନାର ଅନ୍ୟତମ ହଟସ୍ପଟ ରାଜ୍ୟ ପାଲଟିଥିବା କର୍ଣ୍ଣାଟକରେ ସଂପୂର୍ଣ୍ଣ କର୍ଫୁ ଲାଗୁ କରାଯାଇଛି। ଗତ ୨୭ ରାତିରୁ ପୂରା କର୍ଣ୍ଣାଟକରେ ଏହି ୧୪ ଦିନିଆ କର୍ଫୁ ଜାରି କରିଛନ୍ତି ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା। 

ସେପଟେ ବିଭିନ୍ନ ରାଜ୍ୟରେ ଆବଶ୍ୟକ ପରିମାଣର ଟିକା ନ ଥିବାରୁ ଆଜି ଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ପଯର୍ୟାୟ ଟିକାକରଣ ପାଇଁ ଆଶଙ୍କା ଦେଖାଦେଇଛି।  ଟିକା ପାଇଁ ଲାଇନ ନ ଲଗାଇବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ଏଣେ ହସପିଟାଲ ବେଡ୍, ଅକ୍ସିଜେନ୍ ଓ ଔଷଧର ଅଭାବ ଅଭିଯୋଗ ହେଉଥିବା ବେଳେ ବିଭିନ୍ନ ଦେଶରୁ ମେଡିକାଲ ସହାୟତା ପହଞ୍ଚିବାରେ ଲାଗିଛି।  ରାପିଡ୍ ଟେଷ୍ଟ କିଟ୍, ଅକ୍ସିଜେନ କନସନଟ୍ରେଟର, ଭେଣ୍ଟିଲେଟର, ଔଷଧ ସମେତ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ନେଇ ଆସିଥିବା ଆମେରିକୀୟ ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି।

You might also like