ଟେନ୍‌ସେନ୍‌ ଦେଲା କରୋନା: ଏଥର ବାୟୁରେ ବ୍ୟାପୁଛି ସଂକ୍ରମଣ

ବାୟୁରେ ବ୍ୟାପୁଛି ସଂକ୍ରମଣ

ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ଅଧିକରୁ ଅଧିକ ଲୋକଙ୍କୁ ନିଜ କବଳକୁ ନେଉଛ ମହାମାରୀ। ଆଉ ଏହାରି ମଧ୍ୟରେ ମହାମାରୀ ସମ୍ପର୍କରେ ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି।ସୂଚନା ଅନୁସାରେ,କରୋଭାଇରସ୍‌ ଭୂତାଣୁ ‘ସାର୍ସ-କୋଭ୍-୨’ ବାୟୁବାହିତ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ (ସିଡିସି) ଗତକାଲି ସୁନିଶ୍ଚିତ କରିଛି। ‘ସାର୍ସ-କୋଭ୍‌-୨’ ସଂକ୍ରମଣ ସଂକ୍ରାନ୍ତ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ରେ ମଧ୍ୟ ‘ସିଡିସି’ ଏ ତଥ୍ୟ ସାମିଲ କରିଛି।

୨୦୨୧ ମେ ୭ ତାରିଖ ସୁଦ୍ଧା ‘ସିଡିସି’ ଉକ୍ତ ଗାଇଡ୍‌ଲାଇନ୍‌ରେ ୩ଟି ନୂଆ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନ୍ତର୍ଭୁକ୍ତ କରିଛି। ସେଥିରୁ ଗୋଟିଏରେ ଉଲ୍ଲେଖ ଅଛି ଯେ, ‘ସାର୍ସ-କୋଭ୍‌-୨’ ବାୟୁଦ୍ୱାରା ବିସ୍ତାରିତ ହୋଇପାରୁଛି। ତେବେ ସଂକ୍ରମିତ ବ୍ୟକ୍ତିଙ୍କ ପାଖରୁ ୬ ଫୁଟ୍‌ ଦୂରତା ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପୁଥିବା ସୂଚନା ମିଳିଛି।

‘ସିଡିସି’ କହିଛି ଯେ, କୌଣସି ଆକ୍ରାନ୍ତ ବ୍ୟକ୍ତି ଗୋଟିଏ କୋଠରିରେ ୧୫ ମିନିଟ୍‌ରୁ ଅଧିକ ସମୟ ରହିଲେ ସେ କୋଠରିରେ ଥିବା ବାୟୁରେ ଅସୁମାରି ଭୂତାଣୁ ଭରିହୋଇ ଯାଆନ୍ତି। ସେହି ସମୟରେ ଛଅ ଫୁଟ୍‌ ଦୂରରେ ଥିବା ଯଦି କୌଣସି ସୁସ୍ଥ ବ୍ୟକ୍ତି ଉକ୍ତ କୋଠରିର ବାୟୁକୁ ଆଘ୍ରାଣ କରନ୍ତି, ସେ ମଧ୍ୟ କୋଭିଡ୍‌-୧୯ ସଂକ୍ରମିତ ହୋଇଯିବେ। ତେବେ ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରଳୟ କରୁଥିବା ବେଳେ ଏହି ସମୟରେ ଏପରି ଖବର ଚାଂଚଲ୍ୟ ଖେଳାଇ ଦେଇଛି। ଏଠାରେ କହିରଖୁଛୁ ଯେ, ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୩ ହଜାର ୭୩୮ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଛି।

ଦେଶରେ ଗୋଟିଏ ଦିନରେ ୪ ହଜାର ୯୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦେଶରେ ପ୍ରଥମ ଥର ପାଇଁ ୪ ହଜାର ୨୩୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଏହି ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨କୁ ବୃଦ୍ଧି ପାଇଛି। ତେବେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମଧ୍ୟରେ ଆଶ୍ଵସ୍ଥିର ଖବର ହେଉଛି ଯେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢୁଛି। ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଗତ ୩ ଲକ୍ଷ ୮୬ ହଜାର ୪୪୪ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨.୨୨ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୧.୮୩ କୋଟି ସୁସ୍ଥ ହୋଇଛନ୍ତି। ଏବେ ଦେଶରେ ୩୭ ଲକ୍ଷ ୩୬ ହଜାର ୬୪୮ ଆକ୍ଟିଭ୍ କେସ୍ ରହିଛି। ସେପଟେ ଦେଶରେ ଏଯାଏଁ ୧୬ କୋଟି ୯୪ ଲକ୍ଷ ୩୯ ହଜାର ୬୬୩ ଡୋଜ୍ ଟିକାକରଣ ହୋଇଛି।

You might also like