୨୪ ଘଣ୍ଟାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରିଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୫ ହଜାର ୬୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରଠାରୁ, ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ରହିଛି।

ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୭୫୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଫଳରେ ସଂଖ୍ୟା ୩ହଜାର ୩ଶହ ଅତିକ୍ରମ କରିଛି।

ସେପଟେ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ପାର କରିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି।

ତେବେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମଣ ହାର ଅପେକ୍ଷାକୃତ କମ୍ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସାରା ବିଶ୍ୱରେ ପ୍ରତି ୧ଲକ୍ଷ ଲୋକରେ ହାରାହାରି ୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଭାରତରେ ଏହି ହାର ୭.୯ ରହିଛି। ସେହିପରି ସାରା ବିଶ୍ୱରେ ପ୍ରତି ୧ଲକ୍ଷ ଲୋକରେ ୪ ଜଣରୁ ଅଧିକ ଲୋକ ମୃତ୍ୟୁ ହୋଇଥିବା ବେଳେ, ଭାରତରେ ଏହି ହାର ମାତ୍ର ୦.୨ ରହିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ।

ସେ କହିଛନ୍ତି, ଦେଶରେ ଆରୋଗ୍ୟ ହାର ପ୍ରାୟ ୪୦ ପ୍ରତିଶତ ରହିଛି। ଏଯାବତ ମୋଟ ୪୨ ହଜାର ୨୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଗଲେଣି। ଭାରତରେ ଏବେ ଆକ୍ଟିଭ୍‌ କେସ୍ ରହିଛି ୬୧ ହଜାର ୧୪୯। ଏବେ ମାତ୍ର ୩ ପ୍ରତିଶତ ଆକ୍ରାନ୍ତ ଭେଣ୍ଟିଲେଟରରେ ଥିବା ବେଳେ, ୦ ଦଶମିକ ୪୫ ପ୍ରତିଶତ ଆଇସିୟୁରେ ଅଛନ୍ତି। ସେପଟେ ଗତ ଦୁଇ ଦିନ ଧରି ଦିନକୁ ୧ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟହେଉଥିବା ଆଇସିଏମ୍ଆର୍ କହିଛି।

You might also like