୨୦୬ରେ ପହଞ୍ଚିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ୨୦ ରାଜ୍ୟକୁ ବ୍ୟାପିଲା କରୋନା। ବର୍ତ୍ତମାନ ସୁଦ୍ଧା ୨୦୬ ଜଣ ଆକ୍ରାନ୍ତ ହୋଇଥିବା ଆଇସିଏମଆର ICMR ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପର୍ଯ୍ୟନ୍ତ ୧୪ହଜାର ୩୭୬ଟି ସାମ୍ପଲ ସଂଗ୍ରହ କରାଯାଇଥିବା ବେଳେ ୧୩ହଜାର ୪୮୬ଟି ପରୀକ୍ଷା କରାଯାଇଛି ।

ଅନ୍ୟପକ୍ଷରେ କରୋନାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗତକାଲି ପଞ୍ଜାବରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି । ତେବେ ଦେଶରେ ରୋଗ ସଂକ୍ରମଣ ଏବେ ବି ଦ୍ୱିତୀୟ ଷ୍ଟେଜ୍‌ରେ ଥିବା ICMR କହିଛି । ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାର ଅଧିକ କଠୋର ପଦକ୍ଷେପ ନେଇଛନ୍ତି ।

ଆସନ୍ତା ୨୨ ତାରିଖରୁ ଦେଶକୁ ସମସ୍ତ ଆନ୍ତର୍ଜାତିକ ଫ୍ଲାଇଟ୍ ରଦ୍ଦ ହେବ । କରୋନା ମୁକାବିଲା ଲାଗି କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯିବା ସହ ଜରୁରୀକାଳୀନ ପାଣ୍ଠିର ଘୋଷଣା କରାଯାଇଛି । ୬୫ ବର୍ଷରୁ ଅଧିକ, ୧୦ ବର୍ଷରୁ କମ୍ ପିଲା ଘରୁ ନବାହାରିବା ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ।

ପରିସ୍ଥିତିକୁ ଦେଖି ଆସନ୍ତା ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ବିଶ୍ୱ ମହାମାରୀ କରୋନାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରି  ଆସନ୍ତା ୨୨ ମାର୍ଚ୍ଚ ଅର୍ଥାତ ରବିବାର ଜନତା କର୍ଫ୍ୟୁ ପାଳନ ପାଇଁ ନିବେଦନ କରିଛନ୍ତି।

ସୂଚନା ଥାଉ କି,  ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ଚୀନକୁ ଟପିଯାଇଛି । ଚୀନରେ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୩ ହଜାର ୨୪୫ ଥିବା ବେଳେ ଇଟାଲିରେ ୩ ହଜାର ୪୦୫ ରହିଛି । ଫ୍ରାନ୍ସରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ ଜଣଙ୍କ ମୃତ୍ୟୁ ହୋଇଛି।

 

 

You might also like