ଉହାନକୁ ଟପିଲା ମୁମ୍ବାଇ; ସହରରେ ୫୧ ହଜାର କରୋନା ରୋଗୀ

ଦୂଆଦିଲ୍ଲୀ: ଦେଶରେ ଉଦ୍‌ବେଗ ଜନକ ଭାବେ ବଢୁଛି କରୋନା ସଂକ୍ରମଣ।  ସଂକ୍ରମଣ ମାମଲାରେ ଚୀନର ଉହାନ ସହରକୁ ଟପିଛି ମୁମ୍ବାଇ।  ଉହାନରେ ୩ ହଜାର ୮୬୯ ମୃତ୍ୟୁ ସହ ୫୦ ହଜାର ୩୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ମାତ୍ର ମୁମ୍ବାଇ ଏହାକୁ ଅତିକ୍ରମ କରି ସାରିଛି।

ବର୍ତ୍ତମାନ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହଜାରରେ ପହଞ୍ଚିଛି । ସେହିପରି ସଂକ୍ରମଣ କ୍ଷେତ୍ରରେ ଚୀନକୁ ଟପିଯାଇଛି ଭାରତର କରୋନା ହଟ୍‌ସ୍ପଟ୍‌ ମହାରାଷ୍ଟ୍ର । ଚୀନ୍‌ରେ ୮୩ ହଜାର ୪୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଛି ୯୦ ହଜାର । ସେହିପରି ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୩ ହଜାର ୨୮୯ରେ।

ସୂଚନାଥାଉ କି, ଦେଶରେ ୨୪ ଘଣ୍ଟାରେ ଆସିଛି ୯ ହଜାର ୯୮୫ ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ଦେଶରେ ୨୭୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୃତକଙ୍କ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବାବେଳେ ଏଥିମଧ୍ୟରୁ ୧ ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇଛନ୍ତି।

ଏବେ ଦେଶରେ ଆକ୍ଚିଭ୍ କେସ୍ ୧ ଲକ୍ଷ ୩୩ ହଜାର ୬୩୨  ରହିଛି।  ଦିଲ୍ଲୀ ଓ ତାମିଲନାଡୁରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ୧ ହଜାର ୩୬୬ ନୂଆ ମାମଲା ସାମ୍ନାକୁ ଆସିଛି।  ଏଥିସହ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୧ ହଜାର ୩୦୯ରେ ।

ସେହିପରି ଦିଲ୍ଲୀରେ ୨୪ ଘଣ୍ଟାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୯୦୫କୁ ବୃଦ୍ଧି ପାଇଛି। ସେହିପରି ତାମିଲନାଡୁରେ ୩୪ ହଜାର ୯୧୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୦୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

You might also like