କରୋନାରେ ମୃତ୍ୟୁ ଆଶଙ୍କା ଦୂର କରିବ ଆଇଭର୍‌ମେକ୍ଟିନ୍‌ ! ହେଲେ WHOର ବୟାନ ପରେ ବଢ଼ିଲା ଦ୍ୱନ୍ଦ୍ୱ..

ନୂଆଦିଲ୍ଲୀ: ଆଇଭର୍‌ମେକ୍ଟିନ୍‌କୁ ନେଇ ଦ୍ୱନ୍ଦ୍ୱ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହାକୁ ବ୍ୟବହାର କରିବାକୁ କୁହାଯାଇଥିବା ବେଳେ ଡବ୍ଲୁଏଚ୍‌ଓ ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ଭରସା ନକରିବାକୁ କୁହାଯାଉଛି । ଶରୀରରେ କରୋନା ପ୍ରକୋପକୁ କମାଇପାରିବ କି ଆଇଭରମେକ୍ଟିନ୍‌ ଔଷଧ । ସ୍ୱଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହାର ଉପଯୋଗ ଉଚିତ୍ ନା ଅନୁଚିତ୍ ? କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତ ମାସରେ ନିଜର ସଂଶୋଧିତ ଗାଇଡ୍‌ଲାଇନ୍‌ରେ ଦର୍ଶାଇଥିଲା ଯେ, ଘରେ ସଂଗରୋଧରେ ଥିବା ଲକ୍ଷଣ ବିହୀନ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଆଇଭରମେକ୍ଟିନ୍‌ର ବ୍ୟବହାର କରାଯାଇପାରିବ ।

coronavirus

ତେବେ ଏହି ଔଷଧକୁ ନେଇ ଡବ୍ଲୁଏଚ୍‌ଓ ପକ୍ଷରୁ କିଛି ଭିନ୍ନ ବୟାନ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥନ୍ ଚେତାଇଛନ୍ତି ଯେ, ନୂଆ ରୋଗ ପାଇଁ କୌଣସି ଔଷଧର ପ୍ରୟୋଗ ବେଳେ ଏହାର ନିରାପତ୍ତା ଓ ପ୍ରଭାବ ପ୍ରମାଣିତ ହେବା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କେବଳ କ୍ଲିନିକାଲ୍ ଟ୍ରାଏଲ୍ ବ୍ୟତୀତ, କରୋନା ପାଇଁ ଆଇଭରମେକ୍ଟିନର ବ୍ୟବହାର ନକରିବାକୁ ଡବ୍ଲୁଏଚ୍ଓ ସୁପାରିଶ କରୁଛି । ଏନେଇ ଡାକ୍ତର ସୌମ୍ୟା ଟୁଇଟ୍ କରି ସୂଚନା ଦେଇଛନ୍ତି ।

Ivermectin-Tablets-manufacturer-supplier-india-4-scaled

ଅନ୍ୟପଟେ ଆଇଭରମେକ୍ଟିନ୍‌ର ନିର୍ମାତା କମ୍ପାନି ଜର୍ମାନୀର ମର୍କ ଆଣ୍ଡ କୋ ମଧ୍ୟ କୋଭିଡ୍ କ୍ଷେତ୍ରରେ ଏହାର କୌଣସି ସୁଫଳ ନେଇ ପ୍ରମାଣ ମିଳିନଥିବା କହିଛି ।

ପାରାସାଇଟିକ୍ ଇନ୍‌ଫେକ୍ସନ ବା ପରଜୀବୀ ସଂକ୍ରମଣ ହେଲେ ଆଇଭରମେକ୍ଟିନ୍‌ ଔଷଧ କାମ ଦେଇଥାଏ । ତେବେ କରୋନା ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହା ସୁଫଳ ଦେଇପାରିବ ଏବଂ ସ୍ୱଳ୍ପ ଓ ମଧ୍ୟମ ଲକ୍ଷଣ ବେଳେ ଖାଇଲେ, ସେମାନଙ୍କୁ ଗୁରୁତର ହେବାକୁ ଦେବ ନାହିଁ । ଏହାସହ ମୃତ୍ୟୁ ଆଶଙ୍କା କମାଇ ପାରିବ ବୋଲି ବହୁ ଗବେଷକ ଦାବି କରୁଛନ୍ତି । କିଛି ଦିନ ତଳେ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ସମସ୍ତ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଥାଉ ବା ନଥାଉ, ଆଇଭରମେକ୍ଟିନ୍‌ ୧୨ ମିଲିଗ୍ରାମ୍‌ର ୫ଟି ବଟିକା ୫ ଦିନରେ ଖାଇବାକୁ ପରାମର୍ଶ ଦେଇଥିଲେ । ଆମେରିକା, ଇଂଲଣ୍ଡ, ଜାପାନ ଓ ଜର୍ମାନୀରେ ମଧ୍ୟ ଏହାର ଆଗୁଆ ବ୍ୟବହାର ହେଉଛି ବୋଲି ସେ ଦର୍ଶାଇଥିଲେ ।

corona deaths

ତେବେ ଡବ୍ଲୁଏଚ୍ଓର ଚେତାବନୀ ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି । ପାରାସାଇଟିକ୍ ଇନ୍‌ଫେକ୍ସନ ବା ପରଜୀବୀ ସଂକ୍ରମଣ କ୍ଷେତ୍ରରେ ଉପଯୋଗ ହେଉଥିବା ଆଇଭରମେକ୍ଟିନ୍‌ ଔଷଧ ୧୯୮୦ ମସିହାରୁ ପ୍ରଚଳିତ ହୋଇଆସୁଛି । ଏହାକୁ କ୍ରିମ୍, ଲୋସନ୍, ବଟିକା ଓ ଇଞ୍ଜେକ୍ସନ ଭାବେ ବ୍ୟବହାର କରାଯାଇଥାଏ ।

You might also like