ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୧,୯୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୭୮୦ ଜଣଙ୍କ ଯାଇଛି ଜୀବନ। ଏହାସହ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୦,୬୦,୫୪୨ରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଭାଇରସ୍‌ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜିକୁ ମିଶାଇ ପାଞ୍ଚଦିନ ମଧ୍ୟରେ ଦେଶରେ ଚାରି ଥର ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଟପିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୭୮୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୧,୬୭,୬୪୨ରେ ପହଂଚିଲାଣି। ସେହିପରି ସୁସ୍ଥ ହୋଇଥିବା ୬୧,୮୯୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୧,୧୯,୧୩, ୨୯୨ ରହିଛି। ବର୍ତ୍ତମାନ ସମୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୯,୬୦୮ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯,୪୩,୩୪,୨୬୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

ରାଜ୍ୟରେ ବି କରୋନା କାୟା ବିସ୍ତାର କରିବାରେ ଲାଗିଛି। ରାଜ୍ୟରେ ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜ୍ୟରେ ୧୨୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫୫ କ୍ୱାରେଣ୍ଟାଇନ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୨୭ ଜଣ ଲୋକାଲ କେସ୍‌ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୨ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ସେପଟେ କରୋନାକୁ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା ରହିଛି ବୋଲି ଗତକାଲି କହିଥିଲେ ପ୍ରଧାନମନ୍ତ୍ରୀ। ଏହାସହ କରୋନା ମୁକାବିଲା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଦେଶରେ ପୁଣି ଥରେ କରୋନା କଠିନ ଅବସ୍ଥାକୁ ଯାଉଛି। ଏବେ ଲୋକମାନେ ପୂର୍ବାଅପେକ୍ଷା ଅଧିକ ଢିଲା କରୁଛନ୍ତି। ନାଇଟ୍‌ କର୍ଫ୍ୟୁ ଯେଉଁଠି ହେଉଛି ତାହାକୁ କରୋନା କର୍ଫ୍ୟୁ ମାନିବାକୁ ଗତକାଲି କହିଥିଲେ ପ୍ରଧାନମନ୍ତ୍ରୀ। କିଛି ରାଜ୍ୟରେ ପ୍ରଥମ ଲହରକୁ ଦ୍ୱିତୀୟ ଲହର ଟପିଗଲାଣି କହିବା ସହ ଏଥର ବଡ଼ ନୁହେଁ ଛୋଟ ଛୋଟ କଂଟେନମେଂଟ କରିବାକୁ ପଡ଼ିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

 

Other Stories