ସୁସ୍ଥ ହେବାର ଦେଢ ମାସ ପରେ ପୁଣି କରୋନା ଆକ୍ରାନ୍ତ ହେଲେ ୨ ରୋଗୀ

ନୂଆଦିଲ୍ଲୀ:ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍‌ପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨ ଜଣ ରୋଗୀ ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍‌ପିଟାଲକୁ ଫୋନ କରି ଏପରି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ହେଁ ପଜିଟିଭ ରିପୋର୍ଟ ଆସିଛି।

ହସ୍‌ପିଟାଲ କୋଭିଡ କେୟାରର ନୋଡାଲ ଅଫିସର ଡା.ଅଜିତ୍‌ ଜୈନଙ୍କ କହିବା ଅନୁଯାୟୀ, ଦୁଇ ଜଣ ରୋଗୀ ପୁନର୍ବାର କରୋନା ଆକ୍ରାନ୍ତ ହୋଇଛନ୍ତି। କାହିଁଁକି ଏପରି ବ୍ୟତିକ୍ରମ ଦେଖାଦେଲା ତାହାର କାରଣ ଜଣାପଡ଼ି ନାହିଁ। ଏ ନେଇ ଡାକ୍ତରଖାନାର ଏକ ଟିମ୍‌ କାମ କରୁଛନ୍ତି। ହୁଏତ ନମୂନା ତ୍ରୁଟି କାରଣରୁ ଏପରି ହୋଇପାରି ଥାଏ। ସେ କହିଛନ୍ତି, ଅନେକ ଥର ଏପରି ଦେଖାଯାଇଛି, ନମୂନା ତ୍ରୁଟି କାରଣରୁ ରୋଗୀଙ୍କ ରିପୋର୍ଟ ଭୁଲ ଆସୁଛି।

ଡା. ଜୈନ ୨ୟ ସମ୍ଭାବନା ବିଷୟରେ କହିଛନ୍ତି,  ନାକ କିମ୍ବା ଗଳା ସ୍ୱାବ ବ୍ୟତୀତ ଏହି ଭାଇରସ ଛେପ ଏବଂ ଝାଳରେ ୩୯ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ।

କିଛି ଡାକ୍ତର କହନ୍ତି, ଜଣେ ରୋଗୀ କରୋନାରୁ ସୁସ୍ଥ ହେଲେ ପୁନର୍ବାର ଆକ୍ରାନ୍ତ ହେବାର ସମ୍ଭାବନା ଅଛି କି ନାହିଁ ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ। ତେବେ ଜଣେ ୨ୟ ଥର ପାଇଁ କରୋନା ଆକ୍ରାନ୍ତ ହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ସେମାନେ କହିଛନ୍ତି।

You might also like