‘ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୫ ଲକ୍ଷ ଛୁଇଁବ’

ନୂଆଦିଲ୍ଲୀ: କରୋନା ଭାଇରସ ଦେଶବାସୀଙ୍କ ନିଦ ହଜେଇ ଦେଇଛି।  ଦେଶରେ ଗତ ୨୪ ଘଣ୍ଟାରେ ୩୩୧ ଜୀବନ ନେଇଛି କରୋନା ।  ଏଥିସହ ୯ ହଜାର ୯୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଏହା ସର୍ବାଧିକ ଅଟେ।

ତେବେ ରାଜଧାନୀ ଦିଲ୍ଲୀରେ ସ୍ଥିତି ସବୁଠାରୁ ସଙ୍ଗୀନ ରହିଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଯଦି ସଂକ୍ରମଣ ହାର ଏହିପରି ବୃଦ୍ଧି ପାଏ ତେବେ ଜୁଲାଇ ମାସ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସାଢ଼େ ୫ ଲକ୍ଷ ଛୁଇଁବ । ଏପରିକି ୧୨.୬ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇଯିବ ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆକଳନ କରିଛନ୍ତି।

ମନୀଷ କହିଛନ୍ତି, କେନ୍ଦ୍ର ସରକାର କହୁଛନ୍ତି ଦିଲ୍ଲୀରେ  କମ୍ୟୁନିଟି ସ୍ପ୍ରେଡ ହୋଇନାହିଁ। ହେଲେ ଦିଲ୍ଲୀ ସରକାର ଅନୁଭବ କରୁଛନ୍ତି ଦିଲ୍ଲୀରେ କମ୍ୟୁନିଟି ସ୍ପ୍ରେଡ ଆରମ୍ଭ ହୋଇଗଲାଣି। ସିସୋଦିଆ ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜେମଣ୍ଟ ଅଥରିଟି ବୈଠକ ପରେ ଏହି କଥା କହିଛନ୍ତି। ଏହି ବୈଠକରେ ଉପରାଜ୍ୟପାଳ ଅନିଲ ବୈଜଲ ମଧ୍ୟ ସାମିଲ ଥିଲେ।

ସିସୋଦିଆଙ୍କ ଆକଳନ ଅନୁସାରେ ଜୁନ୍ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯିବ। ଜୁଲାଇ ୧୫ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବ। ସେହିପରି ଜୁଲାଇ ୩୦ ବେଳକୁ ସଂଖ୍ୟା ସାଢ଼େ ୫ ଲକ୍ଷ ଛୁଇଁବ କହିଛନ୍ତି ସିସୋଦିଆ।  ଯଦି ଏହି ଆକଳନ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ସାଢେ ୫ ଲକ୍ଷ କରୋନା ଆକ୍ରାନ୍ତଙ୍କ ପାଇଁ ୮୦ ହଜାର ବେଡ ଆବଶ୍ୟକ ପଡ଼ିପାରେ ବୋଲି କହିଛନ୍ତି ସିସୋଦିଆ।

ସୂଚନାଥାଉ କି, ଦେଶରେ ଏବେ କରୋନା ସଂକ୍ରମଣ ମାମଲା ୨ ଲକ୍ଷ ୬୬ ହଜାର ୫୯୮ରେ ପହଞ୍ଚିଥିବାବେଳ ମୃତ୍ୟୁ ସଂଖ୍ୟା  ୭ ହଜାର ୪୬୬ ଛୁଇଁଛି।  ଦେଶରେ ଏଯାଏ ୧ ଲକ୍ଷ ୨୯ ହଜାର ୨୧୫ ଜଣ ସୁସ୍ଥ ହୋଇଥିବେ ବେଳେ ୧ ଲକ୍ଷ ୨୯ ହଜାର ୯୧୭ଟି ଆକ୍ଟିଭ କେସ୍ ରହିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୮୮ ହଜାର ୫୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୧୬୯ ଜଣଙ୍କର ମୃତ୍ୟୁ ଘଟିଛି।

You might also like