ଉପ ରାଜ୍ୟପାଳ-ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ତେଜିଲା

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ସରକାରୀ ହସ୍ପିଟାଲରେ ବେଡ୍ ସଂରକ୍ଷଣକୁ ନେଇ ଉପ ରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ବିବାଦ ତେଜିବାରେ ଲାଗିଛି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କ ପାଇଁ ୧୦ ହଜାର ବେଡ୍ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସରକାରଙ୍କ ଏ ନିର୍ଦ୍ଦେଶକୁ ଉପରାଜ୍ୟପାଳ ଅନିଲ ବୈଜଲ ବେଆଇନ କହି ଖାରଜ କରି ଦେଇଥିଲେ ।

ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଉପରାଜ୍ୟପାଳ । ସେପଟେ ଉପରାଜ୍ୟପାଳଙ୍କ ଆଭିମୁଖ୍ୟକୁ ନେଇ ଦିଲ୍ଲୀ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଦିଲ୍ଲୀବାସୀଙ୍କ ହିତରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ବୋଲି କୁହାଯାଇଛି ।

ଏ ନେଇ ଆଜି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବୈଠକ ବସିଥିଲା । ଦିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢୁଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ୧୫ ଜୁନ୍ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାରରେ ପହଞ୍ଚିବାକୁ ଥିବାବେଳେ ସେତେବେଳେ ୬୬୦୦ ବେଡ୍ ଆବଶ୍ୟକ ।

ସେହିପରି ୩୦ ଜୁନ୍ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଛୁଇଁବ । ସେହି ଅନୁସାରେ ୧୫ ହଜାର ବେଡ ଦରକାର । ୧୫ ଜୁଲାଇ ବେଳକୁ ରାଜ୍ୟରେ ୧ ଲକ୍ଷ ୭୫ ହଜାର ଆକ୍ରାନ୍ତ ହେବେ ଓ ୩୩ ହଜାର ବେଡ୍ ଆବଶ୍ୟକ ହେବ।  ୩୧ ଜୁଲାଇ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୦ ହଜାର ହେବ ବୋଲି ଆକଳନ କରାଯାଉଛି । ସେହି ଅନୁସାରେ ୮୦ ହଜାର ବେଡ୍ ଆବଶ୍ୟକ ବୋଲି ସିସୋଦିଆ କହିଛନ୍ତି । ସେପଟେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

You might also like