• translate
Prangyan Parimita

ଦେଶ ମାରାତ୍ମକ କରୋନା ଭାଇରସର ଦ୍ୱିତୀୟ ଲହରୀ ବିରୋଧରେ ଲଢ଼େଇ ଜାରି ରଖିଛି । ତେବେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ଏକ ଅଧ୍ୟୟନରୁ ଜଣାପଡିଛି ଭାରତର ଦ୍ୱିତୀୟ ଲହରୀ ପାଇଁ ଡେଲଟା ଭାରିଆଣ୍ଟ ଦାୟୀ । INSACOG ଏବଂ NCDC ଅଧ୍ୟୟନରୁ ଏକଥା ଜଣାପଡ଼ିଛି ।

ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲଟା’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୋମବାର ଏହି ନାମ ରଖାଯାଇଛି । କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ବିବାଦ ଜାରି ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ମୁଖ୍ୟ ଭାରିଏଣ୍ଟ ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ନାମରେ ଜାଣିବା ପାଇଁ ସହଜ ନାମକରଣ ପ୍ରକ୍ରିୟା ଆରମ୍ଭ କରିଛି । ଭାରତରେ ୨୦୨୦ ଅକ୍ଟୋବର ୨୦ରେ ମିଳିଥିବା B.1.617.2  G/452R.V3 ଭାରିଏଣ୍ଟର ନାମ ଡେଲ୍ଟା ଭାରିଏଣ୍ଟ ରଖାଯାଇଛି ।  ଭାତରେ ଚିହ୍ନଟ ହୋଇଥିବା ଦ୍ୱିତୀୟ ଷ୍ଟେନ(B.1.617.1)ର ନାମ କପ୍ପା ରଖାଯାଇଛି ।  ବ୍ରିଟେନରେ ୨୦୨୦ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିବା ଭାରିଏଣ୍ଟର ନାମ ଆଲଫା ରଖାଯାଇଥିବା ବେଳେ ସାଉଥ୍ ଆଫ୍ରିକାରେ ମିଳିଥିବା ଭାରିଏଣ୍ଟକୁ ବିଟା କୁହାଯାଉଛି ।

ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ । National Centre for Disease Controlର  ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଅଧ୍ୟୟନରେ ସାମିଲ ଥିବା ଜଣେ ବରିଷ୍ଠ ବୈଜ୍ଞାନିକ ଇକୋନୋମିକ୍ସ ଟାଇମ୍ସକୁ କହିଛନ୍ତି, “ଏପର୍ଯ୍ୟନ୍ତ ଆକଳନରୁ ଜଣାପଡିଛି ଡେଲଟା ଭାରିଏଣ୍ଟ୍ ଆଲଫା ଅପେକ୍ଷା ୪୦-୫୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ସଂକ୍ରମିତ କରୁଛି । କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ଡେଲଟା ଭାରିଏଣ୍ଟ୍ । ଆଉ ଏଥିପାଇଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ଦ୍ୱିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ଅଧିକ । କିନ୍ତୁ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ ।

ସେପଟେ ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା B.1.617ର ତିନୋଟି ଭାରିଏଣ୍ଟ ମଧ୍ୟରୁ ଗୋଟିଏ ଏବେ ଚିନ୍ତାର କାରଣ ସାଜିଥିବା କହିଛି WHO । B.1.617.2 ଭାରିଏଣ୍ଟ୍ ଭୟ ସୃଷ୍ଟି କରୁଥିବା ବେଳେ ସବୁଠାରୁ ଅଧିକ ସଂକ୍ରାମକ ବୋଲି ଜଣାପଡିଛି ।  ଭାଇରସର ଅବଶିଷ୍ଟ ଦୁଇ ଭାରିଏଣ୍ଟର ସଂକ୍ରମଣ କ୍ଷମତା ତୁଳନାତ୍ମକ ଭାବେ କମ୍ । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ B.1.617.2 ର ସଂକ୍ରମଣର ବୃଦ୍ଧି ହାର ଉପରେ ନଜର ରଖାଯାଇଛି । ଏହି କାରଣରୁ ଅନେକ ଦେଶରେ ସଂକ୍ରମଣର ବୃଦ୍ଧି ଘଟୁଥିବା ଜଣାପଡ଼ିଛି । ଏହି ଭାରିଏଣ୍ଟ ଉପରେ ନଜର ରଖିବା ଓ  ଏହା ଉପରେ ଅଧ୍ୟୟନ କରିବାକୁ ପ୍ରାଥମିକତା ଦେଉଛି ଡବ୍ଲୁଏଚଓ ।

 

Other Stories