ଶ୍ମଶାନକୁ ନିତିଦିନ ଆସୁଛି ୧୩୦ ରୁ ଅଧିକ ଶବ: ସଂସ୍କାର ପାଇଁ ଅସହାୟତା ପ୍ରକାଶ କଲେଣି ମଶାଣୀ ବନ୍ଧୁ

ଶ୍ମଶାନ କହୁଛି ଶବର ଶତ

ଲକ୍ଷ୍ନୌ: ସାରା ଦେଶରେ କରୋନା ମହାମାରୀ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି। ଦିନକୁ ଦିନ ଭୟଙ୍କର ଭାବରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ଶ୍ମଶାନରେ ଶବ ସଂସ୍କାର କରିବାକୁ ଅସହାୟ ମନେ କଲେଣି ମଶାଣୀ ବନ୍ଧୁ। ଯେଉଁ ଆଡ଼େ ଚାହିଁସେ ସେଇଆଡ଼େ ହୁତୁହୁତୁ ହୋଇ ଜଳୁଛି ନିଆଁ। ନିଆଁକୁ ଦୂରରୁ ଦେଖିଲେ ଲାଗୁଛି ତାହା କେଉଁ ବଣ ଜଙ୍ଗଲରେ କି ଅଳିଆ ଗଦାରେ ବୋଧହୁଏ ଲାଗିଛି। କିନ୍ତୁ ଏ ନିଆଁ ଲାଗିଛି ମଣିଷର ମରଶରୀରରେ। ହୁଏତ ଏମିତି ଦୃଶ୍ୟ ଆପଣଙ୍କୁ ବ୍ୟଥିତ କରୁଥିବ, କଷ୍ଟ ଦେଉଥିବ। କିନ୍ତୁ ପ୍ରକୃତରେ ମହାମାରୀ ଯେ କେତେ ଭୟଙ୍କର ହେଉଛି ତାହା ସ୍ପଷ୍ଟ ଅନୁମେୟ ହେଉଛି। ମହାମାରୀ କରାଳ ରୂପରେ ଲଢେଇ କରି କରି ଏମାନେ ସମସ୍ତେ ହାରିଯାଇଛନ୍ତି। ଶେଷରେ ୬ ଖଣ୍ଡ କାଠରେ ଚିତାକୁ ଅପେକ୍ଷା କରିଛନ୍ତି। ନିତିଦିନ ଏତେ ମାତ୍ରାରେ ଶବ ଆସୁଛି ଯେ, ତାହାକୁ ପୋଡ଼ିବାକୁ ଶ୍ମଶାନ ବନ୍ଧୁ ମାନେ ବି ଅସହାୟ ପ୍ରକାଶ କଲେଣି। ପ୍ରତିଦିନ ଶ୍ମଶାନକୁ ଟ୍ରକ୍‌ରେ ଲଦା ହୋଇ ଆସୁଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ କାଠ। ଆଉ ତାହା ବି ବେଳେ କମ୍‌ ପଡ଼ୁଛି। ସତରେ ଶ୍ମଶାନ ହିଁ ବୟାନ କରୁଛି କରୋନାର ସତ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମର୍ଣ୍ଣକନିଆ ଶ୍ମଶାନ ଘାଟରେ। ଏତେ ମାତ୍ରାରେ ଶବ ଆସୁଛି ଯେ, ଶେଷରେ ପ୍ରଶାସନ ବାଧ୍ୟ ହୋଇ କ୍ରେନ୍‌ ଓ ଜେସିବି ଲଗାଇ ଶବଦାହ କରୁଛି। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ଜଳୁଛି ୧୦ ରୁ ୨୦ ଚିତା। ଜୁଇ ପ୍ରସ୍ତୁତ କରିବାରେ ଅସହାୟ ହୋଇ ପଡିଲାଣି ମଣିଷ। ତେଣୁ କ୍ରେନ ସାହାଯ୍ୟରେ ସିଧା ଟ୍ରକ୍‌ରୁ ଆସିଥିବା କାଠକୁ ନେଇ ଚିତା ପ୍ରସ୍ତୁତ ହେଉଛି। ଆଉ ଅନ୍ୟ ପଟେ ଚିତା ଲିଭୁ ପାଉଁଶକୁ ଏଡ଼ାଇ ନୂଆ ଜୁଇ ପ୍ରସ୍ତୁତ କରିବାରେ ଲାଗିଛି ଜେସିବି। ଧୂଆଁମୟ ହୋଇଯାଉଛି ପୂରା ପରିବେଶ। ନା ନିଆଁ ଲିଭୁଛି ନା ଧୂଆଁ କମୁଛି। ଗୋଟିଏ ପଟେ ଜୁଇ ଜଳୁଛି ଆଉ ଅନ୍ୟପଟେ ପରିବାର ସଦସ୍ୟଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ଶ୍ମଶାନଘାଟ। ପ୍ରତିଦିନ ଟ୍ରକ୍‌ରେ ଲଦା ହୋଇ ଟ୍ରିପ୍‌ ଟ୍ରିପ୍‌ କାଠ ଶ୍ମଶାନକୁ ଆସୁଛି, କିନ୍ତୁ ତାହା ବି ଯଥେଷ୍ଟ ହେନଥିବା କୁହାଯାଉଛି।

ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶ୍ମଶାନ ପୂଜକ ଯାହା କହୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ ମଧ୍ୟ କରିଦେବ। ତାଙ୍କ କହିବା ଅନୁସାରେ, ପ୍ରତ୍ୟେକ ଦିନ ଏଠାକୁ ୧୦୦ ରୁ ୧୩୦ ଡେଡ୍‌ ବଡ଼ି ଆସୁଛି। ଥରେ ଚିନ୍ତା କରନ୍ତୁ ଯଦି ଏହି ଶ୍ମଶାନ ଘାଟକୁ କେବଳ ଦିନକୁ ଏତିକି ଶବ ଆସୁଛି ତେବେ ପୂରା ରାଜ୍ୟରେ କେତେ ଶବ ସଂସ୍କାର ହେଉଛି। ସୂଚନା ଅନୁସାରେ, କାଠର ଦାମ୍‌ ଅଧିକ ହେଉଥିବାରୁ ଅନେକ ଲୋକ ଶବ ସଂସ୍କାର କରିପାରୁନାହାନ୍ତି, ତେଣୁ ପୋତି ଦେଉଛନ୍ତି।  ଥରେ ଚିନ୍ତା କରନ୍ତୁ କରୋନା କେତେ ମାତ୍ରାରେ ଜନଜୀବନକୁ ପ୍ରଭାବିତ କରିଛି। ଏମିତି ଦୃଶ୍ୟ କେବଳ ୟୁପିରେ ନୁହେଁ ବରଂ ସାରା ଦେଶରେ ହିଁ ଦେଖିବାକୁ ମିଳିଛି। ତେବେ କେବଳ ସଚେତନତା ହିଁ କରୋନା ମହାମାରୀରୁ ଆମ ସମସ୍ତଙ୍କୁ ରକ୍ଷା କରିପାରିବ। ତେଣୁ ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ…

You might also like