ଚିନ୍ତାଜନକ : କରୋନାରେ ପ୍ରାଣ ହରାଇଥିବା ଦୁଇ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୨୧ରୁ ୪୦ ବର୍ଷ ମଧ୍ୟରେ

ଗୁରୁଗ୍ରାମରେ ଯୁବଗୋଷ୍ଠୀଙ୍କ ମୁଣ୍ଡ ନେଉଛି ମହାମାରୀ

  • ଗୁରୁଗ୍ରାମରେ ଏପ୍ରିଲ ୧ରୁ ୧୦ମେ ମଧ୍ୟରେ ୨୩୫ ଲୋକଙ୍କ ମୁଣ୍ଡ ନେଲା କରୋନା
  • ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀରେ ଏବେ ସୁଦ୍ଧା ୫୯୯ ଲୋକଙ୍କ ଜୀବନ ଯାଇଛି
  • ୨୩୫ ଲୋକଙ୍କୁ ମଧ୍ୟରୁ ୧୪୦ ଜଣ ପୁରୁଷ ଓ ୯୫ ମହିଳା

ଗୁରୁଗ୍ରାମ : ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଛି କରୋନାର ଦ୍ୱିତୀୟ ଲହରୀ । ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଅଳ୍ପ ବୟସରୁ ଲୋକଙ୍କୁ ଅଧିକ କବଳିତ କରୁଛି ମହାମାରୀ । ତେବେ ଏହି ତଥ୍ୟ ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏପ୍ରିଲ ୧ରୁ ମେ ୧୦ ମଧ୍ୟରେ କରୋନରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରେ ଦୁଇ ଜଣରେ ଜଣେ ବ୍ୟକ୍ତି ୨୧ ବର୍ଷ ରୁ ୪୦ ବର୍ଷ ବୟସ ମଧ୍ୟରେ ବୋଲି ଜଣାପଡ଼ିଛି ।

ଏପ୍ରିଲ ପହିଲାରୁ ମେ ୧୦ ମଧ୍ୟରେ ୨୩୫ ଜଣ କରୋନା  ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଗତ ବର୍ଷ କରୋନାର ପ୍ରଥମ ଲହରୀରେ ଏବଂ ଚଳିତ ବର୍ଷ ଦ୍ୱିତୀୟ ଲହରୀରେ ଏବେ ସୁଦ୍ଧା ମୋଟ୍ ୫୯୯ ଲୋକଙ୍କ ଜୀବନ ନେଇଛି ମହାମାରୀ । ଚଳିତ ବର୍ଷ ମୃତ୍ୟୁ ସଂଖ୍ୟା ୪୦ ପ୍ରତିଶତ ରହିଛି । କରୋନାରେ ପ୍ରାଣ ହରାଇଥିବା ୨୩୫ ଜଣଙ୍କ ମଧ୍ୟରୁ ୧୧୭ ଜଣ ୨୧ରୁ ୪୦ ବର୍ଷ ବୟସରେ ଅଟନ୍ତି । ୫୦ ପ୍ରତିଶତ ରୋଗୀ ଏହି ବୟସର ବୋଲି ଜଣାପଡ଼ିଛି । ଗୁରୁଗ୍ରାମର ଡାକ୍ତରଙ୍କ ଅନୁସାରେ, ବିଳମ୍ବରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା, ଠିମ ସମୟରେ ଚିକିତ୍ସା ନମିଳିବା ଓ ଆବାଶ୍ୟକୀୟ ଔଷଧ ଠିକ ସମୟରେ ଉପଲବ୍ଧ ନଥବା ଯୋଗୁଁ ଏହି ସବୁ ଜୀବନ ଯାଇଥିବା କହିଛନ୍ତି ଗୁରୁଗ୍ରାମର ଡାକ୍ତର।

ସେହିପରି ଏପ୍ରିଲ ୧ରୁ ମେ ୧୦ ମଧ୍ୟରେ ୫୧ରୁ ୬୦ ବର୍ଷ ବୟସର ୨୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ୬୧ରୁ ୭୦ ବର୍ଷ ବୟସର ୧୯ ଜଣ, ୭୧ରୁ ୮୦ ବର୍ଷ ବୟସର ୧୪ ଜଣ, ୮୧ରୁ ୯୦ ମଧ୍ୟରେ ୪ ଜଣ, ୯୧ରୁ ୧୦୦ ମଧ୍ୟରେ ୩ ଜଣ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ତେବେ ଏହି ସମୟସୀମା ମଧ୍ୟରେ ଦଶ ବର୍ଷ ବୟସରୁ କମ ବୟସର ୧୦ ଜଣ ଶିଶୁଙ୍କର ମଧ୍ୟ ଜୀବନ ଯାଇଛି ।

ସେପଟେ ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛିମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ତେବେ ୨ଦିନ ପାଇଁ ବୁଧବାର ସଂକ୍ରମିତଙ୍କ ସଂଖ୍ୟାଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ୱାର୍ଲ୍ଡୋମିଟର ୱେବସାଇଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୪୮ ହଜାର ୫୨୯ ମାମଲା ସାମ୍ନାକୁ ଆସିଛି । ତେବେ ଏହି ସମୟ ମଧ୍ୟରେ ୪୨୦୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୩ ଲକ୍ଷ ୫୫ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଡାକ୍ତର, ବିଶେଷଜ୍ଞ ।

You might also like