ଲୋକାଲ-ଭୋକାଲ-ଗ୍ଲୋବାଲ କଥା କାହିଁକି ଉଠାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗତକାଲି ଦେଶକୁ ସମ୍ବୋଧନ କଲାବେଳେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଥିଲେ। ଦେଶର ଅର୍ଥନୀତି ସୁଧାରିବାକୁ ହେଲେ ପ୍ରଥମେ ଆତ୍ମନିର୍ଭଶୀଳ ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ମୋଦି ଗତକାଲି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ନିମ୍ନ ଓ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ମୋଦି ତାଙ୍କ ସମ୍ବୋଧନରେ  ଲୋକାଲକୁ ଭୋକାଲ ଏବଂ ଗ୍ଲୋବାଲରେ ପରିଣତ କରିବା ପାଇଁ କହିଥିଲେ ।

ତେବେ ଲୋକାଲକୁ ଭୋକାଲ କରିବାର ଅର୍ଥ କ‘ଣ ? କାହିଁକି ଏପରି କହିଲେ ପ୍ରଧାନମନ୍ତ୍ରୀ ? ଭାରତରେ ସ୍ୱଦେଶୀ ଆନ୍ଦୋଳନ ୧୯୦୫ରେ ତୀବ୍ର ରୂପ ନେଇଥିଲା। ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ୱଦେଶୀ ଜିନିଷକୁ ଗ୍ରହଣ କରି ବିଦେଶୀ ଜିନିଷକୁ ଗ୍ରହଣ କରିବା। ସେତେବେଳେ ରାଜନେତାମାନେ ଏକଥା ଅନୁଭବ କରିଥିଲେ ଏହାଦ୍ୱାରା ଭାରତୀୟଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ ହୋଇପାରିବ।

ଏବେ କରୋନା ସ୍ଥିତି ପ୍ରତ୍ୟେକ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି। ଭାରତ ପରି ୧୩୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶର ଅବସ୍ଥା ତ ଆହୁରି ଶୋଚନୀୟ ହୋଇପଡ଼ିବ। ତେଣୁ ସେ ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ଲୋକାଲ ପ୍ରଡକ୍ଟ ଓ ଏହାର ଚାହିଦା ବଢିବ।

ମୋଦି ଖାଲି ଲୋକାଲ ପ୍ରଡକ୍ଟ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇ ନାହାନ୍ତି। ବରଂ ଏହାର ପ୍ରଚାର, ପ୍ରସାର ଏବଂ ଏହାକୁ ଗ୍ଲୋବାଲାଇଜ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ସେ ତାଙ୍କ ଭାଷଣରେ ଲୋକାଲ-ଭୋକାଲ ଏବଂ ଗ୍ଲୋବାଲ କଥା କହିଥିଲେ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏପରି କହିବା ପଛରେ ଅନେକ ଉଦ୍ଦେଶ୍ୟ ରହିଛି। ଏପରି ଅନେକ ବିଦେଶୀ ପ୍ରଡକ୍ଟ ରହିଛି ଯାହାକୁ ଆମେ ନିୟମିତ ବ୍ୟବହାର କରୁଛୁ। ହେଲେ ଏସବୁ ଜିନିଷଠାରୁ ବହୁତ ଭଲ କ୍ୱାଲିଟିର ଦେଶୀ ଉତ୍ପାଦ ଆମ ପାଖରେ ରହିଛି। ହେଲେ  ବିଜ୍ଞାପନ ଦୌଡରେ ଭଲ ଉତ୍ପାଦ ଥାଇ ମଧ୍ୟ ଦେଶୀ କମ୍ପାନୀ ଆଗକୁ ବଢି ପାରୁନି।

ଟୁଥ୍‌ବ୍ରଶ୍‌, ଟୁଥ୍‌ପେଷ୍ଟଠାରୁ ଆରମ୍ଭ କରି ସାବୁନ, ସାମ୍ପୋ, ୱାଶିଂ ପାଉଡର, ସେଭିଂ କ୍ରିମ୍, କୋଲ୍‌ଡ ଡ୍ରିଙ୍କସ୍‌, ବିସ୍କୁଟ, ଚକୋଲେଟ ଆଦି ଅନେକ ଉତ୍ତମ ଗୁଣମାନର ଦେଶୀ ପ୍ରଡକ୍ଟ ମିଳୁଥିଲେ ହେଁ ଆମେ ବିଦେଶୀ ଜିନିଷକୁ ପ୍ରସନ୍ଦ କରୁଛେ। ଦେଶୀ କମ୍ପାନୀ ଉପରେ ଆମର ଭରସା ନାହିଁ, ବିଶ୍ୱାସ ନାହିଁ। ଆମ ଦୈନନ୍ଦିନ ଚଳଣୀରେ ଆମେ ଏତେ ମାତ୍ରାରେ ବିଦେଶୀ ପ୍ରଡକ୍ଟ ବ୍ୟବହାର କରୁଛେ, ଯଦି ସେତିକି ବଦଳେଇ ପାରିବା ତେବେ ଦେଶର ଅର୍ଥନୀତି ଅନେକ ମାତ୍ରାରେ ସଜାଡି ହୋଇ ପାରିବ, ଭାରତୀୟଙ୍କ ଜୀବନଧାରଣର ମାନ ମଧ୍ୟ ଉନ୍ନତ ହୋଇପାରିବ ।

ଆମେ ଚାଇନା ପ୍ରଡକ୍ଟ ଉପରେ ଅଧିକମାତ୍ରାରେ ନିର୍ଭର କରୁଛୁ। ଦୈନନ୍ଦିନ ଜୀବନରେ ଅଧିକାଂଶ ଜିନିଷର ବ୍ରାଣ୍ଡ ଦେଖିଲେ ଜାଣିବା ଏହା ଚାଇନାର । ମୋଦି ତାଙ୍କ ଭାଷଣରେ ଉତ୍ପାଦର ଉତ୍ତମମାନ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ଅର୍ଥାତ୍‌ ଚାଇନା ଉତ୍ପାଦର ମାନ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ଉତ୍ତମମାନ ଉପରେ ଗୁରୁତ୍ୱ ଦେଇ ଏକ ପ୍ରକାର ଚାଇନା ପ୍ରଡକ୍ଟ ବର୍ଜନ ନେଇ ଆଭାସ ଦେଇଥିଲେ।

ଏଥିରୁ ସ୍ପଷ୍ଟ ବୁଝାପଡୁଛି ମୋଦି ଆତ୍ମନିର୍ଭରଶୀଳ ହେବା ପାଇଁ କାହିଁକି ଲୋକାଲ, ଭୋକାଲ ଏବଂ ଗ୍ଲାବାଲ କଥା ଉଠାଇଥିଲେ।

କାରଣ ଏବେ ସମୟ ଆସିଛି ଆମକୁ ବିଦେଶୀ ଜିନିଷ ଛାଡ଼ି ଦେଶୀ ଜିନିଷକୁ ବ୍ୟବହାର କରିବାକୁ ପଡ଼ିବ। ନଚେତ କରୋନା  ମୁକାବିଲା କରୁ କରୁ ଦେଶର ଅର୍ଥନୀତି ଉଜୁଡ଼ି ଯିବ।

You might also like