କରୋନା ଦ୍ୱିତୀୟ ଲହରର ଭୟଙ୍କର ରୂପ: ଦିନକରେ ବାହାରିଲେ ୯୦ ହଜାର ରୋଗୀ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଟେନ୍‌ଶନ ବଢାଇଛି କରୋନା। ପୂର୍ବ ପରି ହୁ ହୁ ହୋଇ ବ୍ୟାପୁଛି ମହାମାରୀ। ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦ ହଜାର ପାଖାପାଖି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପରି ଏଥର ମଧ୍ୟ ମହରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯, ୧୨୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ମହାରାଷ୍ଟ୍ରରୁ ଅଛନ୍ତି ୪୭, ୮୨୭ଜଣ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୧୩୪ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ କୋଟି ୯୨ ହଜାର ୨୬୦ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା କ କୋଟି ୧୫ ଲକ୍ଷ ୨୪୧ ଜଣ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି। ଏବେ ଦେଶରେ ଆକ୍ଟିଭ କେସ୍‌ ୬ ଲକ୍ଷ ୫୮ ହଜାର ୯୦୯ ରହିଛି। ଆଇସିଏମଆର ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୪୬, ୬୦୫ ନମୂନା ଯାଞ୍ଚ ହୋଇଛି।

ସୂଚନାଥାଉ କି, ଏପ୍ରିଲ ୨ ତାରିଖ ଦେଶରୁ  ୮୧ ହଜାର ୪୬୬ ପଜିଟିଭ ଚିହ୍ନଟ ହୋଇଥିଲାବେଳେ  ୪୬୯ ଜଣଙ୍କ ମୃତ୍ୟୁ ଘଟିଥିଲା।  ସେହିପରି ୧ ତାରିଖ ଦେଶରୁ ଚିହ୍ନଟ ହୋଇଥିଲେ  ୭୨ ହଜାର ୩୩୦ ଆକ୍ରାନ୍ତ । ଏଥିସହିତ ୪୫୯ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିଲା।  ଏହି ତାଲିକାକୁ ଦେଖିଲେ, ସ୍ପଷ୍ଟ ହେଉଛି, ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। 

ରାଜ୍ୟମାନଙ୍କ କଥା ଦେଖିବାକୁ ଗଲେ ଶୁକ୍ରବାର ମହାରାଷ୍ଟ୍ରରେ ୪୭, ୮୨୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୯, ୦୪, ୦୭୬ ଥିବାବେଳେ ମୃତ୍ୟୁ ସଂଖ୍ୟା ୫୫, ୩୭୯ ରହିଛି। ସେହିପରି କେବଳ ମୁମ୍ବାଇରେ ଶୁକ୍ରବାର ୮,୮୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦ ଜଣଙ୍କର ମୃତ୍ୟୁ ଘଟିଛି।

ଗୋଟିଏ ପଟେ ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦେଶରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ଅଧିକରୁ ଅଧିକ ଲୋକ ଟିକା ନେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬, ୭୧,  ୨୪୨ ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୬, ୬୭, ୮୯, ୧୩୮ ଜଣ କରୋନା ଟିକା ନେଇ ସାରିଲେଣି।

You might also like