କରୋନାରେ ଜୀବନ ହାରିଲେ ବାପପୁଅ, ସଂକ୍ରମଣ ଭୟରେ କବାଟ କିଳିଦେଲେ ପଡ଼ୋଶୀ

ଛଅଘଣ୍ଟା ପର୍ଯ୍ୟନ୍ତ ପଡ଼ିରହିଲା ମୃତଦେହ, କେହି କାନ୍ଧ ଦେବାକୁ ଆସିଲେନି

ଗୋରଖପୁର : ମାନବିକତାରେ ବିଶାଳ ପାଚେରୀ ଛିଡ଼ା କଲା ଅଦୃଶ୍ୟ ଭାଇରସ୍ । କରୋନାରେ ବାପପୁଅଙ୍କ ମୃତ୍ୟୁ ପରେ ମୁହଁରେ କବାଟ କିଳିଦେଲେ ସୁଖଦୁଃଖର ସାଥୀ ସାଜିଥିଲା ପଡ଼ୋଶୀ । ଘଣ୍ଟା ଘଣ୍ଟା ଧରି ଛଅ ଘଣ୍ଟା ଘର ବାହାରେ ପଡ଼ିରହିଲା ପୁଅର ମୃତଦେହ । ଯେଉଁ ମଣିଷ ଦିନେ ପାଖ ପଡ଼ୋଶୀଙ୍କ ଗୋଟିଏ ଡାକରେ ବିନା ଦ୍ୱିଧାରେ ଘରେ ପହଞ୍ଚି ଯାଉଥିଲା,ଆଜି ତା’ର ମୃତ୍ୟ ପରେ କେହି ପାଖ ମାଡ଼ିଲେନି । ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କରୋନାରେ ସଂକ୍ରମିତ ହୋଇ ପ୍ରଥମେ ବାପା ଏବଂ ପରେ ଶିକ୍ଷକ ପୁଅର ମୃତ୍ୟୁ ହୋଇଥିଲା । ତେବେ ସାହାଯ୍ୟ କରିବା ପରିବର୍ତ୍ତେ ସ୍ଥାନୀୟ ବାସିନ୍ଦା ସେମାନଙ୍କ ଘରର କବାଟ ଓ ଝରକା ବନ୍ଦ କରିଦେଇଥିଲେ । ଘର ସାମ୍ନାରେ ମୃତଦେହ ୬ ଘଣ୍ଟା ଧରି ଘରେ ପଡ଼ି ରହିଥିଲା, କିନ୍ତୁ କାନ୍ଧ ଦେବାକୁ କେହି ବି ଆସିନଥିଲେ । ଶିକ୍ଷକଙ୍କ ଭାଇ ଏବଂ ପୁତୁରା ଅନ୍ୟ ଏକ ସ୍ଥାନରେ ଆଇସୋଏଲେସନରେ ରହିଛନ୍ତି।

କରୋନା ବେଳର କରୁଣ ଦୃଶ୍ୟ । ବାଡ଼ ସୃଷ୍ଟି କରୁଛି ସଂକ୍ରମଣ ଭୟ । ମାନବିକତାକୁ ଥରାଇ ଦେବା ଭଳି ଏହି ଘଟଣା ଗୋରଖପୁରର ରାମଜାନକି ନଗର ଅଞ୍ଚଳରେ ଘଟିଛି । କରୋନା ସଂକ୍ରମିତ ହୋଇ ଏପ୍ରିଲ ୧୨ରେ କଲୋନୀରେ ରହୁଥିବା ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଫଳରେ ତାଙ୍କ ସଙ୍ଗେ ରହୁଥିବା ପରିବାର ଲୋକେ କରୋନା ପରୀକ୍ଷା କରାଇ‍ଥିଲେ । ହେଲେ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା କିନ୍ତୁ ସେମାନଙ୍କ ଠାରେ ସଂକ୍ରମଣର ଲକ୍ଷଣ ଦେଖାଯାଉଥିଲା । ଏଭଳି ପରିସ୍ଥିତିରେ ସପରିବାରେ ପୁଣି ଥରେ ବିଆରଡି ମେଡିକାଲ କଲେଜରେ ପରୀକ୍ଷା କରାଯାଇଥିଲେ । ଆଉ ସେଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା । ବିଦ୍ୟୁତ କର୍ମଚାରୀଙ୍କ ଦାହସଂସ୍କାର ପରେ ପୂରା ପରିବାର ଆଇସୋଲେସନରେ ଥିଲା ।

ପରିବାରର ମୁଖିଆକୁ ହରାଇ ଘରେ ଶୋକର ଛାୟା ଖେଳି ଯାଇଥିଲା । ହେଲେ ଏତିକିରେ ପରିବାରର ଦୁଃଖ ସରିଯାଇନଥିଲା । ଗୁରୁବାର ବିଳମ୍ବିତ ରାତିରେ ସାନ ଭାଇର ଅବସ୍ଥା ଗୁରୁତର ହେବା ପରେ କିଛି ଲୋକଙ୍କୁ ଡାକି ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ହେଲେ ପୁଣି ଦୁଃଖର ପାହାଡ଼ ମୁଣ୍ଡରେ ପଡ଼ିଲା ପରି ଡାକ୍ତର ତାଙ୍କୁ ମେଡ଼ିକାଲରେ ମୃତ ଘୋଷଣା କରିଥିଲେ। ଆଉ ପରେ ଆମ୍ବୁଲାନ୍ସରେ ଆଣି ଘର ସାମ୍ନାରେ ମୃତଦେହ ଛାଡ଼ିଯାଇଥିଲେ ।

ମୃତଦେହ ଦେଖି ଆଖପାଖ ଘରର କବାଟ ଓ ଝରକା ବନ୍ଦ ହୋଇଯାଇଥିଲା। ଘର ବାଣ୍ଡାରେ ମଧ୍ୟାହ୍ନ ପର୍ଯ୍ୟନ୍ତ ପଡ଼ି ରହିଲା। ମୃତ୍ୟୁ ପରେ ସାହିଭାଇ ହୋଇ ଚଳୁଥିବା ଲୋକ କେହି ବି କାନ୍ଧ ଦେବା ପାଇଁ ଆସିଲେ ନାହିଁ । ତେବେ ଏ ସମ୍ପର୍କରେ ଜାଣିବା ପରେ ଆଇସୋଲେସନରେ ଥିବା ଭାଇ ପ୍ରଶାସନିକ ଅଧିକାରୀଙ୍କୁ ଫୋନ୍ କରି ଜଣାଇଥିଲେ । ଏହା ପରେ ପ୍ରଶାସନ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ଟିମ୍ ପଠାଇଥିଲା ଶବଦାହ ପାଇଁ ଶ୍ମଶାନ ନେଇଥିଲେ।

You might also like